Unknown

 

 

 

 

 

 

 

 

 

ଅର୍ଘ୍ୟଥାଳୀ

ସ୍ୱଭାବକବି ଗଙ୍ଗାଧର ମେହେର

 

ଅଭିବାଦନ

 

ଜୟ ଜୟ ନରଦେବ,

(ଶ୍ରୀ ଶ୍ରୀ) କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ହେ । ଘୋଷା ।

ଉତ୍କଳେ ଅତୁଳନୀୟ ଛାମୁଙ୍କ ଗୌରବ,

ଦିଗ ଆମୋଦୁଚି କୀର୍ତ୍ତି-କୁସୁମ-ସୌରଭ ହେ । ୧ ।

ଦରଶନ କରି ତବ ମଙ୍ଗଳ ଉଦୟ

ଉଲ୍ଲସି ଉଠୁଛି ମାତୃଭୂମିର ହୃଦୟ ହେ । ୨ ।

ମାଗୁଛନ୍ତି ତବ ପୂତ ଜୀବନେ ଶରଣ

ଦେବୋଚିତ ରାଜୋଚିତ ଦିବ୍ୟ ଗୁଣଗଣ ହେ। ୩ ।

ଭାର୍ଗବୀ ଭରତୀ ଦୁହେଁ ଲଭି ସମ ତୁଷ୍ଟି

କରୁଛନ୍ତି ଛାମୁଶିରେ ଦିବ୍ୟ ପୁଷ୍ଠବୃଷ୍ଟି ହେ । ୪ ।

ଉତ୍କଳ ଚାହିଁଛି ତବ ସମୃଦ୍ଧି-ଅୟନେ

ଆନନ୍ଦ-ଅମୃତାଞ୍ଜନରଞ୍ଜିତ ନୟନେ ହେ। ୫ ।

ମହାରାଜବଂଶୀ ଛାମୁ ଖ୍ୟାତ ପୃଥିବୀରେ,

ମଣ୍ଡିଲେ ସମ୍ରାଟ ତହିଁ ‘ରାଜ’ ପଦବୀରେ ହେ। ୬।

ରଦନ ରତନ ଯୋଗେ ଦିଶିଲା ଉଜ୍ଜ୍ୱଳ,

ସମ୍ମାନିତ ସୁକୃତଜ୍ଞ ତହିଁରେ ଉତ୍କଳ ହେ। ୭ ।

ନାନା ଉପାୟରେ ଆଜି ଛାମୁଙ୍କ ଚରଣ

ପୂଜୁଛନ୍ତି ଉତ୍କଳର କବି-ବୁଧଗଣ ହେ। ୮ ।

କି ଘେନି ମୁଁ ଦୀନ ତହିଁ କରିବି ଅର୍ଚ୍ଚନ,

ଭକ୍ତି ସହ ଅର୍ଘ୍ୟଥାଳି କରୁଛି ଅର୍ପଣ ହେ । ୯ ।

ଆଶା କରେଁ, ନ ହେଲେହେଁ ଶ୍ରୀଛାମୁଙ୍କ ପାତ୍ର,

ପଡ଼ିବ ଏଥିରେ ଦିବ୍ୟ କୃପାଦୃଷ୍ଟି ମାତ୍ର ହେ। ୧୦ ।

ସେତିକିରେ ଚରିତାର୍ଥ ହେବି ଦୀନଜନ,

ତାହିଁ ମୋର ପ୍ରୟୋଜନ ମଣେ ହେ ରାଜନ ହେ । ୧୧ ।

 

ପଦ୍ମପୁର

ଶ୍ରୀ ଛାମୁଙ୍କ କୃପାଶୟୀ

ତା ୨୫। ୨। ୧୮

ଶ୍ରୀ ଗଙ୍ଗାଧର ମେହେର

•••

 

ଭୂମିକା

 

ମୋର ହୃଦୟ ନିବିଡ଼ ଅରଣ୍ୟତୁଲ୍ୟ; କିନ୍ତୁ ପ୍ରଶସ୍ତ ନୁହେ, କ୍ଷୁଦ୍ର । ତହିଁର ଅଭ୍ୟନ୍ତରକୁ ସଭ୍ୟତାଲୋକ ପ୍ରବିଷ୍ଟ ହୋଇପାରିନାହିଁ । ତେବେ ସମଗ୍ର ଧରଣୀରେ ଯେତେବେଳେ ଆଲୋକ ବିକୀର୍ଣ୍ଣ ହେଉଅଛି, ଅରଣ୍ୟର ଉପରିଭାଗ ଆଲୋକିତ ହେବା ସ୍ୱାଭାବିକ । ରନ୍ଧ୍ରପଥରେ ମଧ୍ୟ ଅଭ୍ୟନ୍ତରକୁ ଆଲୋକର ପ୍ରବେଶ ଅବାରଣୀୟ । ଗଛଟିଏ ହେଲେ ଅବଶ୍ୟ ତହିଁରେ ଫୁଲ ଫୁଟେ; ତେବେ ଅରଣ୍ୟରେ ସୁପୁଷ୍ପ ଫୁଟେ ନାହିଁ । ମୋର ହୃଦୟରେ ନାନା ସମୟରେ ଯେ ନାନା ଭାବ ଉଦିତ ହୋଇଥାଏ, ତହିଁରୁ କେତେକ ପଦ୍ୟାକାରରେ ଲେଖି ପତ୍ର-ପତ୍ରିକାମାନଙ୍କରେ ପ୍ରକାଶ କରିଥିଲି । ତାହା ସୁଗନ୍ଧ ହେଉ ବା ନିର୍ଗନ୍ଧ ହେଉ, ପୁଷ୍ପରୂପେ ଗଣ୍ୟ । ତତ୍‌ପ୍ରତି ବହୁଦର୍ଶିମାନଙ୍କର ଦୃଷ୍ଟି ଆକୃଷ୍ଟ ହୋଇଥିବାର ବୋଧହୁଏ । ମୋ’ ପ୍ରତି ଉଦୀୟମାନ ଯଶସ୍ୱୀ ଶ୍ରୀମାନ୍ ପାରଳାଧିପତି ମହୋଦୟଙ୍କର ଶୁଭଦୃଷ୍ଟି ପତିତ ହୋଇଥିବାର ତଦୀୟ ନବର ସୁପରିଣ୍ଟେଣ୍ଡେଣ୍ଟ୍ ଶ୍ରୀଯୁକ୍ତ ନିତ୍ୟାନନ୍ଦ ପଟ୍ଟନାୟକ ମହାଶୟଙ୍କ ପତ୍ରରୁ ଅବଗତ ହୋଇ ମହାରାଜାଙ୍କ ଛାମୁରେ ଅର୍ପଣ କରିବାକୁ ସେହି ସମସ୍ତ ପୁଷ୍ପରେ ଏହି ‘ଅର୍ଘ୍ୟଥାଳି’ ପ୍ରସ୍ତୁତ କରିଅଛି ।

 

ମୋର ଚିରହିତୈଷୀ ଶ୍ରୀଯୁକ୍ତ ନୀଳମଣି ବିଦ୍ୟାରତ୍ନ ମହାଶୟ ୫-୬ ବର୍ଷ ପୂର୍ବେ ଗ୍ରାମପଞ୍ଚାୟତ ବିଷୟକ ଗୋଟିଏ ବୃହତ୍ ପଦ୍ୟ ଲେଖିବା ନିମେନ୍ତ ଉପଦେଶ ଦେଇଥିଲେ । ସେ ସମୟରେ ତାହାର ଆରମ୍ଭ ମାତ୍ର କରିଥିଲି । ସମ୍ପ୍ରତି ପ୍ରଶଂସିତ ପାରଳାଧିପତିଙ୍କ କୃପା-ଦୃଷ୍ଟିରେ ତାହା ପୂର୍ଣ୍ଣପଲ୍ଲବିତ ହେବାରୁ ତାହାକୁ ଦୂର୍ବା-ବଦରୀ-ପତ୍ରରୂପେ ଏହି ‘ଅର୍ଘ୍ୟଥାଳି’ ରେ ରଖିଲି ।

 

ମହାଭାରତ ତୀର୍ଥରାଜ-ସମୁଦ୍ର ତୁଲ୍ୟ । ତହିଁର ଗୋଟିଏ ଗୋଟିଏ ଉପାଖ୍ୟାନ ଗଙ୍ଗାଯମୁନାଦି ପୂତନୀରା ନଦୀସ୍ୱରୂପ । ଉଦ୍‌ଯୋଗ ପର୍ବର ‘ବିଦୁର ପ୍ରଜାଗର’ ଗୋଟିଏ ଉପାଖ୍ୟାନ। ତାହା ଏପରି ହୃଦୟସ୍ପର୍ଶୀ ନୀତି-ଉପଦେଶରେ ପୂର୍ଣ୍ଣ ଯେ, କଣ୍ଠସ୍ଥ କରିବାକୁ ଇଚ୍ଛାହୁଏ ଏବଂ ଏତେ ଦୀର୍ଘ ଯେ ପାଠ କରୁଁ କରୁଁ ଧୈର୍ଯ୍ୟଭଙ୍ଗ ହୁଏ । ଯେତେ ସୁସ୍ୱାଦୁ ହେଲେ ମଧ୍ୟ ଏକଜାତୀୟ ପଦାର୍ଥ ଅଧିକ ଭୋଜନ କଲେ ରୁଚିଭଙ୍ଗ ହେବା ସ୍ୱଭାବିକ । ମୁଁ ଲୋଭ ସମ୍ବରଣ କରି ନ ପାରି ନିଜ ରଚନାରେ ପାତ୍ର ଗଢ଼ି ତହିଁରେ ସେହି ‘ବିଦୁର ପ୍ରଜାଗର’ରେ ଯେତିକି ପାରିଲି ସେତିକି ପୂର୍ଣ୍ଣ କରି ତୀର୍ଥଜଳ ରୂପେ ‘ଅର୍ଘ୍ୟଥାଳି’ରେ ଥୋଇଅଛି ।

 

ଏହି ‘ଅର୍ଘ୍ୟଥାଳି’ ସାଧାରଣଙ୍କର ମନୋନୀତ ହୋଇପାରିଲେ ମୁଁ କୃତାର୍ଥ ହେବି--ଇତି-

 

ପଦ୍ମପୁର

ବିନୀତ

ତା ୨୫.୨.୧୮

ଶ୍ରୀ ଗଙ୍ଗାଧର ମେହେର

•••

 

ସୂଚୀପତ୍ର

 

୧.

ଭକ୍ତି

୨.

ସମଲାଈ ଦେବୀଙ୍କ ପ୍ରତି

୩.

ଅମୃତମୟ

୪.

ମଧୁମୟ

୫.

ଉତ୍କଳ-ଭାରତୀଙ୍କ ଉକ୍ତି

୬.

ନର ଓ ମୟୂର

୭.

ବର୍ଷାୠତୁ ପ୍ରତି

୮.

ଖଦ୍ୟୋତର ଖେଦ

୯.

ଅନ୍ଧକାରର ଆତ୍ମପ୍ରସାଦ

୧୦.

ସୂର୍ଯ୍ୟ ପ୍ରତି ଦୀପ

୧୧.

ବାକ୍ୟବୀର ଓ କର୍ମବୀର

୧୨.

ସଙ୍ଗ-ଫଳ

୧୩.

ତାରା-ସୂର୍ଯ୍ୟ

୧୪.

ଜ୍ୟେଷ୍ଠ ଜାତିର ଅପକର୍ମର ପରିଣାମ

୧୫.

ଗଣେଶଙ୍କର ଆତ୍ମକଥା

୧୬.

ପରିଶ୍ରମ

୧୭.

କର୍ମଗୁଣ

୧୮.

ମହାନ୍ଧକାର

୧୯.

ଗର୍ବ

୨୦.

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର

୨୧.

ବଳରାମ ଦେବ

୨୨.

ସ୍ୱର୍ଗୀୟ କବିବର ରାଧାନାଥ ରାୟ

୨୩.

ମଧୁସୂଦନ ରାଓଙ୍କ ସ୍ୱର୍ଗାରୋହଣ

୨୪.

ସ୍ୱର୍ଗୀୟା କୃଷ୍ଣକୁମାରୀ

୨୫.

ଫକୀରମୋହନଙ୍କ ମୃତ୍ୟୁଶଯ୍ୟା ନିକଟରେ ଉତ୍କଳମାତାର ରୋଦନ

୨୬.

ମଳୟ ଆବାହନ

୨୭.

ମାତୃଭୂମି

୨୮.

ଗୌରୀଶଙ୍କର ବା ଏଭରେଷ୍ଟ

୨୯.

ପ୍ରଧାନପାଟ

୩୦.

ବୁଢ଼ାରାଜା

୩୧.

ପାପକ୍ଷୟ ଘାଟ

୩୨.

ବାଳ ପାଦପ

୩୩.

ଉଦ୍‌ବୋଧନ

୩୪.

ନବବର୍ଷ

୩୫.

ପ୍ରେତର ଅନୁତାପ

୩୬.

ଉଦ୍‌ବୋଧନ

୩୭.

ବିଦ୍ୟାରତ୍ନଙ୍କ ହିତୈଷିଣୀ

୩୮.

ପଞ୍ଚାୟତ

୩୯.

ବିଦୁର ପ୍ରଜାଗର

•••

 

ଭକ୍ତି

 

ବିଶ୍ୱଜୀବନ ହେ, ତୁମ୍ଭଙ୍କୁ କରୁଣାସିନ୍ଧୁ

ବୋଲିବାକୁ ମନ ବଳୁ ନାହିଁ ଯେଣୁ

ସିନ୍ଧୁ ତୁମ୍ଭ କୃପାବିନ୍ଦୁ । ଘୋଷା ।

ତୁମ୍ଭ ଭଜନରେ ହେବି ନାହିଁ ନାଥ

ମାଳା ଜପିବାକୁ ବାଧ୍ୟ

କୋଟି କୋଟି ଗ୍ରହ କଣ୍ଠି ସେ ମାଳାର

କେ ଜପି କରିବ ସାଧ୍ୟ ?

ଦେଇ ନାହିଁ ବଳ ପଦଧୂଳି ଘେନି

ପାରିବ ନାହିଁ ମୋ’ ମୁଣ୍ଡ,

କୋଟି କୋଟି ରବି ଧୂଳିରୂପେ ତୁମ୍ଭ

ପାଦେ ହୋଇଛନ୍ତି ରୁଣ୍ଡ ।

ହୃଦୟର କଥା ଜାଣିବାକୁ ଅଛି

ତୁମ୍ଭର ଅସୀମ ଶକ୍ତି,

ସେତିକି ଘେନିବ ଯେତିକି ଅଛି ମୋ’

ହୃଦେ ତୁମ୍ଭ ପ୍ରତି ଭକ୍ତି

ଥାପିବାକୁ ତୁମ୍ଭ ମୂରତି ମୋ’ କ୍ଷୁଦ୍ର

ହୃଦୟରେ ନାହିଁ ସ୍ଥାନ,

ସର୍ଷପ ଗରଭେ ରହି କି ପାରଇ

ହିମାଳୟ ସାନୁମାନ ?

କି ଦେଇ ପୂଜିବି ଯାହା ମୁଁ ଦେଖୁଛିଁ

ସବୁ ତୁମ୍ଭରି ପ୍ରସାଦ,

ଯାହା ପରସାଦ ତାଙ୍କୁ ଅରପିଲେ

ହେବ ସିନା ଅପରାଧ !

ମୁଁ’କାର ମାତର ମୋର ନୁହେ ବୋଲି

କହିବାକୁ ନାହିଁ ବାଟ,

ଦୂରୁ ଶ୍ରୀଚରଣେ ଅର୍ପଣ କରୁଛି

ଘେନ ତା’ ବିଶ୍ୱ-ସମ୍ରାଟ !

[୧୯୧୪ ସେପ୍ଟମ୍ବର, ୧୯୧୪ ଉତ୍କଳ ସାହିତ୍ୟ]

•••

 

ସମଲାଈ ଦେବୀଙ୍କ ପ୍ରତି

ଜୟ ମାତଃ ସମଲାଈ ରତ୍ନକିରୀଟିନୀ,

କବରୀ ଶୋଭିତ ତୋର କେତକୀର ଦଳେ

ଶ୍ୱେତ ଶାନ୍ତ ରୂପେ ହେଉ ତ୍ରିଦଶ-ତଟିନୀ

ଧବଳ(୧) କୁସୁମମାଳ ଲମ୍ବୁଥାଏ ଗଳେ ।

ଜବାପୁଷ୍ପ ଗଭା ମଧ୍ୟେ ଦୀରକର ଭୂଷା,

ଚାହିଁ ମୋ’ ହୃଦୟ ହୁଏ ଆଶା-ପଦ୍ମାକର,

ମଣି ତୋତେ ସଉଭାଗ୍ୟଦିନଶଂସୀ ଉଷା,

ନିକଟେ ଲଭିବ ବୋଲି ସୁଖ ଦିବାକର ।

ତୁହି ଶକ୍ତି ତୁହି ବୁଦ୍ଧି ତୁହି ସରସ୍ୱତୀ,

ତୁ ପ୍ରତିଭା, ତୁହି ମାଗୋ ଲକ୍ଷ୍ମୀସ୍ୱରୂପିଣୀ,

ଜଗତ-ଜନନୀ ତୁହି ଆଦ୍ୟା ଭଗବତୀ,

ସମ୍ପତ୍ତିଦାୟିନୀ ସର୍ବ ବିପଦ-ନାଶିନୀ ।

ଜଗତରେ ଯାହା ଅଛି ସବୁ ତୋର ସିନା,

କି ଦେଇ ପୂଜିବି ପଦେ ପ୍ରେମ-ଭକ୍ତି ବିନା ?

୧.      ଆଶ୍ୱିନ ଅମାବାସ୍ୟା ଦିନ ସମଲାଈ ଶୁଭ୍ରାଙ୍ଗୀ ହୁଅନ୍ତି। ଲୋକେ ସେହି ସମଲାଈ-ଦର୍ଶନକୁ ‘ଗଙ୍ଗା-ଦର୍ଶନ’ ବୋଲି କହନ୍ତି ।

•••

 

ଅମୃତମୟ

 

ନବ ବିକସିତ ଫୁଲଗନ୍ଧ,

ନବ ସରସ କବିତା-ଛନ୍ଦ,

ବନ ବିହଗ ମଧୁର ତାନ,

ଶିଶୁ ସରଳ ତରଳ ଗାନ,

ନବ ପ୍ରଫୁଲ୍ଲ କମଳକାନନ

ନବ ସୁକୁମାର ଶିଶୁ ଆନନ,

ଅମୃତମୟ ଅମୃତ ରୟ

ଭସାଇ ନେଉଛି ଜୀବନ।

ଧୀର ଚଳିତ ଶୀତଳ ବାତ,

ଚିର ଲଳିତ କୁମୁଦନାଥ,

କ୍ଷୀର-ଧବଳ ଚନ୍ଦିକାଜାଲ,

ନୀରଦାନଦକ୍ଷ ଘନମାଳ

ମୃଦୁ ମଧୁର ଆଲୋକ ଉଷାର,

ନବପଲ୍ଲବପତିତ ତୁଷାର

ଅମୃତମୟ ଅମୃତରୟ

ମଜ୍ଜାଇ ଦେଉଛି ସଂସାର।

ମିଟିମିଟି ଜକଜକ ତାରା,

ଟପଟପ ଜଳଧର ଧାରା,

ତମନାଶନେ ଧାବିତ ଘୃଷ୍ଟି (୧)

ତମମୁକତ ଅବନୀ ହୃଷ୍ଟି,

ଗିରିଗରଭପ୍ରସୃତ ନିର୍ଝର,

ଦୁଇ ଲମ୍ଫିତ ପ୍ରପାତ ଝର୍ଝର,

ଅମୃତମୟ ଅମୃତରୟ

ଜୀବନ କରୁଛି ଜର୍ଜର।

ମୁଁ ତ ଅମୃତ-ସାଗରବିନ୍ଦୁ,

ନଭେ ଉଠିଥିଲି ତେଜି ସିନ୍ଧୁ,

ଖସି ମିଶିଛି ଅମୃତଧାରେ,

ଗତି କରୁଛି ସେ ଅକୂପାରେ,

ପଥେ ଶୁଖିଗଲେ ପାପ-ତାପରେ,

ହୋଇ ଶିଶିର ଖସିବି ତା’ ପରେ,

ଅମୃତମୟ ଅମୃତ ରୟ

ସହିତ ମିଶିବି ସାଗରେ ।

 

୧.

ଘୃଷ୍ଟି-ଘର୍ଷଣ ବା ସଂଘର୍ଷରୁ ଜାତ ପରିଷ୍କୃତ ଆଲୋକ ବା ବିଦ୍ୟୁତ ।

[୧୯୧୪ ଜୁନ୍, ଉତ୍କଳ ସାହିତ୍ୟ]

•••

 

ମଧୁମୟ

 

ବିଶ୍ୱ ଦେଖ ମଧୁମୟ ରେ ଜୀବନ !

ବିଶ୍ୱ ଦେଖ ମଧୁମୟ

ମଧୁର ଝରଣ କରିବ ହରଣ

ତୋ’ ପାପ ମରଣଭୟ ରେ ଜୀବନ ! । ଘୋଷା ।

ଜନନୀର ସ୍ନେହ ଜାୟାର ପ୍ରଣୟ

ବୁଧ-ବନ୍ଧୁ ସଦାଳାପ,

ଜନକ ଆଦର ଏକ ଏକ ଝର

ତଡ଼ି ଦେଉଛନ୍ତି ତାପରେ ଜୀବନ !

ନବ ନବ କର୍ମ ନବ ନବ ମର୍ମ

ନବ ନବ ଜ୍ଞାନପଥ,

ନବୀନ ଆଲୋକେ ଦେଖାନ୍ତି ଏ ଲୋକେ

ମଧୁ ଝର ଶତ ଶତ ରେ ଜୀବନ !

ମଧୁମୟ ବନେ ମଧୁମୟ ସ୍ୱନେ

ଗାଇ ମଧୁମୟ ଗୀତି,

ବିହଙ୍ଗମଗଣ ପୂରାନ୍ତି ଶ୍ରବଣ

ମଧୁ ଢାଳି ନିତି ନିତି ରେ ଜୀବନ !

ଦିନେ ଦିନପତି ରାତ୍ରେ ରକ୍ଷତତି

ସହିତ କୁମୁଦବନ୍ଧୁ,

ବିଚରି ଗଗନେ ଅଖିଳ ଭୁବନେ

ବିତରନ୍ତି ଜ୍ୟୋତି ମଧୁ ରେ ଜୀବନ !

ମହୀ ମହୀଧରେ ସରିତ ସାଗରେ

ସରେ ବନ ଉପବନେ,

ଦେଖ ଫୁଲକୁଳ ପଲ୍ଲବ କଲ୍ଲୋଳ

ମଧୁ ମାଖିଛନ୍ତି ଘନେ ରେ ଜୀବନ !

ବିଶ୍ୱନାଥଙ୍କର କରୁଣାକନ୍ଦର

ମଧୁ ଝର ଜନ୍ମସ୍ଥଳ,

ଚାହିଁ ଝର ପ୍ରତି ଉଚ୍ଚ କଲେ ଗତି

ପାଇବୁ କରୁଣାଚଳ ରେ ଜୀବନ !

ହେଲେହେଁ ତୁ ସାନ କରୁଣାନିଧାନ

ରାଜ୍ୟରେ କରିଛୁ ବାସ,

ବଢ଼ାଇଲେ କର ତାଙ୍କ ଶ୍ରୀପୟର

ଲାଭେ ନ ହେବୁ ନିରାଶ ରେ ଜୀବନ !

ସର୍ପଦଷ୍ଟ ଜନ ମୁଖରେ ଲବଣ

ଦେଲେ ବୋଲିଥାଏ ମାଟି,

ଜ୍ଞାନଭ୍ରଷ୍ଟେ ମଧୁ ନ ଲାଗିଲେ ସ୍ୱାଦୁ

ଜ୍ଞାନଗଦ ପିଅ ବାଟିରେ ଜୀବନ !

[୧୯୧୪ ଅଗଷ୍ଟ, ଉତ୍କଳ ସାହିତ୍ୟ]

•••

 

ଉତ୍କଳ-ଭାରତୀଙ୍କ ଉକ୍ତି *

 

ଛନ୍ଦ ବାବୁ ମୋର କୋମଳ ବସନ

ଅଙ୍ଗକୁ ଯହିଁରେ ନ ହେବ ପୀଡ଼ା,

ଦେବ ହେଲେ ଦିଅ ଏମନ୍ତ ଭୂଷଣ

ଯାହା ଘେନି ମୋର ନ ହେବ ବ୍ରୀଡ଼ା ।

ଅଙ୍ଗ ଚାହିଁ ଦିଅ ଯୋଗ୍ୟ ପରିଚ୍ଛଦ

ପରିଚ୍ଛଦ ଯୋଗୁଁ ନ କାଟ ଦେହ,

କଟା ହେଲେ ହେବ ଜୀବନେ ବିପଦ

ନ କର ମାତାକୁ ସେପରି ସ୍ନେହ ।

ନଖ ବଢ଼ିଥିଲେ କର କରତନ

ରଞ୍ଜିଦିଅ ତହିଁ ଅଳତା ରଙ୍ଗ,

ନାକ ବଡ଼ ଥିଲେ ତା’ କଲେ ଛେଦନ

ହେବ ନାହିଁ କି ମୋ’ ସୌଷ୍ଠବଭଙ୍ଗ ?

ରୋଗ ଥିଲେ ଦେହେ ପ୍ରତିକାର କର

ପ୍ରକୃତିସ୍ଥ ହେଉ ଜୀବନ ମୋର,

ଭିନ୍ନ ବର୍ଣ୍ଣେ ଯଦି ରଞ୍ଜ କଳେବର

ହେବ ମାତ୍ର ତହିଁ ବିଭତ୍ସ ଘୋର ।

ତୁମ୍ଭେ ମୋତେ ଯେଉଁ ବେଶରେ ସାଜିବ

ସେ ଦେଶ ଦେଖିବେ ଜଗତ ଜନେ,

ତୁମ୍ଭେ ଯଦି ମୋତେ ଯତନେ ମାଜିବ

ମାର୍ଜ୍ଜିତ ଉଜ୍ଜ୍ୱଳ ହେବି ଭୁବନେ ।

ଦେଉଁ ଦେଉଁ ମୋର ନୟନେ ଅଞ୍ଜନ

ମୁଖ ଯଦି ହେବ କାଳିମାମୟ,

ପୋଛ ଗଣ୍ଡ-କାଳି ନ ଦେଇ ଗଞ୍ଜନ

ହେବ ମନୋହର କାନ୍ତି ଉଦୟ ।

ପାଇଥିଲେ ଦିଅ ବିଲାତି ପ୍ରସୂନ

ଥାଏ ଯଦି ତହିଁ କିଛି ସୌରଭ,

ସୌରଭ ନ ଥିଲେ କାନ୍ତିରେ ନିଉନ

ନ ଥିଲେ ବଢ଼ିବ ସିନା ଗୌରବ ।

ମସ୍ତକେ ମୋ’ ଟୋପି ନ ଦେବ ବାବା ରେ

ନ କାଢ଼ିବ ମୋର କରୁ କଙ୍କଣ,

ସିନ୍ଦୂର ବିନ୍ଦୁ ମୋଭାଲେ ରଖିବାରେ

ନିରନ୍ତର ମନେ ଥିବ ସ୍ମରଣ ।

ଭାଇ ଭାଇ ମଧ୍ୟେ କଳହ ନ କର

ତୁମ୍ଭ କଳହେ ମୁଁ ହେବି ଦୂଷିତ,

ରତନ ସଂଗ୍ରହେ ହୁଅ ଯତ୍ନପର

ରତ୍ନ ଗୁନ୍ଥି ମୋତେ କର ଭୂଷିତ ।

ଅଭିମାନେ ରୋଗେ ନ କର ପ୍ରଳାପ

ପ୍ରଳାପ ଶୁଣିଲେ କାନ୍ଦେ ମୋ’ ହୃଦ,

ଜ୍ଞାନେ ଧ୍ୟାନ ରଖି କର ସଦାଳାପ

ସଦାଳାପେ ସଦା ବଢ଼ୁ ମୋ’ ମୁଦ ।

ମନ୍ଦିରକୁ ମୋର କର ସୁସଜ୍ଜ୍ୱିତ

ରମ୍ୟ ରମ୍ୟ ଉପକରଣ ଆଣି,

କାଠ ଖମ୍ବମାନ କର ସୁରଞ୍ଜିତ

ଢାଳିଦିଅ ତହିଁ ସୁବର୍ଣ୍ଣପାଣି ।

ନାନା ଦେଶୁ ଆଣ ତରୁ ବଲ୍ଲୀମାନ

ରୋପଣ କର ମୋ’ ଉଦ୍ୟାନଗର୍ଭେ,

ଉଦ୍ୟାନ କରିବ ସୁଫଳ ପ୍ରଦାନ

ଭୁଞ୍ଜିବ ସୁଖେ ମୋ’ ନନ୍ଦନ ସର୍ବେ ।

ଆବର୍ଜ୍ଜନାହୀନ କର ମୋ’ ସଦନ

କର ଆବଶ୍ୟକ ଜୀର୍ଣ୍ଣ ସଂସ୍କାର,

ମାନ୍ୟ ଧର୍ମ ରଖି କର ବିଚରଣ

ନ କର ମୋ’ ପୁରେ ଯଥେଚ୍ଛାଚାର ।

ନିଜ ଉନ୍ନତିକି ଉନ୍ନତି ନ ମଣ

ମୋତେ ନ କରିବାଯାଏ ଉନ୍ନତ,

ଏକ ତରୁ ତଳେ ଥିବେ କେତେ ଜଣ,

ବହୁ ଜଳ ଫଳ ଦିଏ ପର୍ବତ ।

ତୁମ୍ଭ ରାଜ୍ୟ ଭୂମି ପ୍ଳାବି ନ ପାରନ୍ତି

ଆଣ୍ଡାସ ଗିରିର ଅସଂଖ୍ୟ ଝର,

କେ ହରିବ ତୁମ୍ଭ ହୃଦୟ ତପତି

ନ ବହିଲେ ପୂତ ସ୍ରୋତ ମୋହର ।

ହୋଇ ଏକପ୍ରାଣ ହୋଇ ଏକମନ

ଉଚ୍ଚ ତାନେ ଗାଅ, ‘‘ଭାରତୀ ଜୟ’’,

ଉଚ୍ଚେ ଟେକ କୀର୍ତ୍ତି- ପତାକା ଗଗନ

ହୋଇଯାଉ ଶୁଭ୍ର ପତାକାମୟ ।

[୧୯୧୪ ଏପ୍ରିଲ, ୧୯୧୪ ଉତ୍କଳ ସାହିତ୍ୟରେ ପ୍ରକାଶିତ]

*

ଏହି କବିତାଟି ଲିପିସଂସ୍କାର ଆନ୍ଦୋଳନ ସମୟରେ ଲିଖିତ ।

•••

 

ନର ଓ ମୟୂର

 

ହସ୍ତୀର ଉପରେ ବସିଥିଲେ ନରବର

ଚିତ୍ରମୟ ପରିଚ୍ଛଦେ ମଣ୍ଡି କଳେବର ।

ଶିଖରୀ ଶିଖରେ ରହି ଶିଖୀ ତାହା ଚାହିଁ,

ସହି ନ ପାରିଲା ତାଙ୍କ କୃତ୍ରିମ ବଡ଼ାଇ ।

କେକାରବେ ଡାକଦେଲା ବିସ୍ତାରି ସ୍ୱପୁଚ୍ଛ,

ନୁହ ନୃପ ମୋ’ ସମାନ ରମ୍ୟ ଅବା ଉଚ୍ଚ ।

ଦେଖ ମୋତେ, ମୋହଠାରୁ ଅଟ କେଡ଼େ ଖର୍ବ

କି ଘେନି ନିଜକୁ ଉଚ୍ଚ ମଣି କର ଗର୍ବ ।

ମୋର ପୁଚ୍ଛ ସଙ୍ଗେ ଯଦି କରିବ ତୁଳନା,

ନିଶ୍ଚୟ ମଣିବ ନିଜ ବେଶକୁ ଅଲଣା ।

ତୁମ୍ଭେ ବା ବୋଲିବ ଅଛି ମାନବର ଜ୍ଞାନ,

ପକ୍ଷିଜାତି ହେବ କାହିଁ ମାନବ ସମାନ ?

ଭେକର ବିକଟ ରବେ ନଥାଏ ମୋ’ କର୍ଣ୍ଣ,

ନାଚୁଥାଏ ଊର୍ଦ୍ଧେ ଶୁଣି ଜଳଦ ଗର୍ଜନ ।

ନୀଚର କୁବାଣୀ ସହି ଉଚ୍ଚର ଭର୍ତ୍ସନା,

ହିତ ମଣି କର କି ହେ ଉଚ୍ଚର ଅର୍ଚ୍ଚନା ?

ଭୟଙ୍କର ବିଷଧର କରେଁ ଗର୍ଭସାତ,

ନାଶ କି ଜିଘାଂସା ହେଲେ ତୁମ୍ଭ ହୃଦେ ଜାତ ?

ଇନ୍ଦ୍ରଧନୁ ଦରଶନେ ବଢ଼େ ମୋ’ ଆନନ୍ଦ,

ପରଶିରୀ ହୁଅଇ କି ତୁମ୍ଭ ପ୍ରୀତିପ୍ରଦ ?

ପର୍ବତେ ମୋ’ ଯେଉଁ ସୁଖ ସେ ସୁଖ ଭୂମିରେ,

ସମ ସୁଖୀ ଥାଅ କି ହେ ପ୍ରାସାଦେ କୁଟୀରେ ?

[୧୯୧୪ ମଇ, ଉତ୍କଳ ସାହିତ୍ୟରେ]

•••

 

ବର୍ଷାୠତୁ ପ୍ରତି

ଦାନେ କୁଣ୍ଠିତ କାହିଁକି ବରଷା,

ତୁ ଯେ ମହୀର ସକଳ ଭରସା ।

ତୁ କି ଏମନ୍ତ ଭାବିଥାଉ ମନେ,

ମହୀ ରହିଛି ସାଗରବେଷ୍ଟନେ;

ତାକୁ ନ ଥିବ ଜଳର ଅଭାବ,

ତେବେ ନ ଜାଣୁ ତୁ ଲୋକସ୍ୱଭାବ ।

ବଡ଼ ହେଲେହେଁ ଯେ ନୀଚହୃଦୟ,

କେବେ ହୋଇଛି କି ପରେ ସଦୟ ?

ମହୀ ମଲେହେଁ ହୋଇ ଶୁଷ୍କକଣ୍ଠ

ସିନ୍ଧୁ ସଲିଳ ବିନ୍ଦୁ ଲାଭ କଷ୍ଟ ।

କ୍ଷୁଦ୍ର ହେଲେହେଁ ମହୀ କି ଅଚଳ

ଉଚ୍ଚହୃଦୟ ହେତୁ ଦିଏ ଜଳ ।

ମେଘମାନେ ତୋ’ ଉତ୍ତମ ଚାକର,

ଅତି ଉନ୍ନତ ହୃଦୟ ତାଙ୍କର ।

ମହୀ ଜୀବନ ରକ୍ଷା ଚିରକାଳ

କରୁଅଛନ୍ତି ବିତରି କୀଲାଳ ।

ତୋର ଆଦେଶ ପାଇବା ମାତରେ

ଦାନ କରିବେ ଜଳ ଅକାତରେ;

କେହି ବୋଲିବେ ଅବା ସିନ୍ଧୁନୀର

ଶୋଷି ହୋଇଛି ସିନା ଦାନବୀର ।

ନିଜେ ବିତରି ନ ଜାଣେ କୃପଣ

ଖଣ୍ଟେ ନିଅନ୍ତି ବଳେ ତାର ଧନ ।

ଖଣ୍ଟ ହେଲେହେଁ ପରକୁ ପ୍ରଦାନ

କରି ଜାଣେ ଯେ ସେ ଲୋକ ପ୍ରଧାନ ।

ନିଜେ ତୁ କରି ନାହୁଁ ଖଣ୍ଟପଣ,

ଗ୍ରୀଷ୍ମ କରିଛି ତୋ’ କରେ ଅର୍ପଣ ।

ତୁହି ମହୀକି ଦେବୁ ଯେତେ ଜଳ,

ଦେବ ସିନ୍ଧୁକୁ ନ ଥୋଇ ସକଳ ।

ନୀଚହୃଦୟେ ସଞ୍ଚି ରଖେ ଧନ,

ସାଧୁ ସାଧଇ ଲୋକପ୍ରୟୋଜନ ।

ଫଳ ପ୍ରସୂନ ବସ୍ତ୍ର ଉପାଦାନ

ମହୀ କରିବ ଜୀବକୁଳେ ଦାନ ।

[୧୯୧୪ ମେ, ଉତ୍କଳ ସାହିତ୍ୟ]

[୩୧/୭/୧୫,‘ସମ୍ୱଲପୁର-ହିତୈଷିଣୀ]’

•••

 

ଖଦ୍ୟୋତର ଖେଦ

 

ଖେଦେ କହେ ଖଦ୍ୟୋତ ମୁଁ ଅତି କ୍ଷୁଦ୍ର ଜୀବ

କି ବିଚାରି ପକ୍ଷ ମୋତେ ଦେଇଛି ଦଇବ,

ରଜନୀରେ ଉଡ଼େ ଲୁଚି ଉପବାସ ଡରେ

ଅବା ଦୂରେ ବସିଥାଏଁ ପାଦପ ପତରେ ।

ଅଙ୍ଗେ ମୋର ଜ୍ୟୋତି ଥିବା ନାହିଁ ମୋତେ ଜଣା,

ନ ଚାହେଁ ମୁଁ ଜ୍ୟୋତିଷ୍କରେ ହେବା ପାଇଁ ଗଣା ।

ତଥାପି ମାନବେ ମୋତେ ଉପହାସ କରି

ବୋଲନ୍ତି ଖଦ୍ୟୋତ କାହିଁ ହେବ ଚନ୍ଦ୍ରସରି ?

କାହିଁ ଚନ୍ଦ୍ର, ମିଳେ ତାଙ୍କୁ ପ୍ରଭାକର କର,

ମୋ’ ଜ୍ୟୋତିକଣିକା ନିଜ କ୍ଷୁଦ୍ର ଜୀବନର,

କରି ନ ଜାଣଇ ପରଧନେ ଅଭିମାନ,

କେମନ୍ତେ ପାରିବି ହୋଇ ଚନ୍ଦ୍ରମା ସମାନ ?

ନ କର ମାନବେ କ୍ଷୁଦ୍ର ଜୀବେ ଉପହାସ,

ନିଜର ଜୀବନ-ଜ୍ୟୋତି କର ପରକାଶ ।

[୮/୫/୧୯୧୫ ସମ୍ବଲପୁର ହିତୈଷିଣୀ]

•••

 

ଅନ୍ଧକାରର ଆତ୍ମପ୍ରସାଦ

 

ମନେ ମନେ ହସି ଭାବି ବୋଲେ ଅନ୍ଧକାର,

ବିଚିତ୍ର ଅଟଇ ସିନା ଲୋକବ୍ୟବହାର ।

ଦେଖ ମୋତେ କରିଥାନ୍ତି ଦୁଃଖର ଉପମ,

କରନ୍ତି ଅଜ୍ଞାନ-ବିଷ ବିପଦରେ ସମ ।

ଆଲୋକରେ ଭ୍ରମି ଭ୍ରମି ପ୍ରାଣୀ ହୁଏ ଶ୍ରାନ୍ତ,

ବଳେ ତାକୁ କୋଳେ ଧରି କରଇ ମୁଁ ଶାନ୍ତ ।

ଅଜ୍ଞାନର ସମତାରେ ନାହିଁ ମୋର କ୍ଷୋଭ,

ଅଜ୍ଞାନର ସନ୍ତୋଷରେ ବରଞ୍ଚ ମୋ’ ଲୋଭ ।

କେଉଁ ଶ୍ରେୟ ଅଛି ଭବେ ଜ୍ଞାନୀ ନାମ ବହି,

କେତେ ଜ୍ଞାନବାନ ଦେଇଥାନ୍ତି ଦହି ।

ସନ୍ନିପାତେ ହୋଇଥାଏ ବିଷ ପ୍ରୟୋଜନ,

ସୁଖୀ ମୁହିଁ ହୋଇ ତାର ଉପମାଭାଜନ ।

ବିପଥଗାମୀକି କରେ ବିପଦବାରଣ,

ଇଚ୍ଛୁକ ମୁଁ ସଦା ତାର ମିତ୍ରତା କାରଣ ।

କେହି ମୋତେ ବୋଲିଥାନ୍ତି ଚୋରର ସହାୟ

ମାନବର କି ଅଦ୍ଭୁତ ବିବେଚନା ହାୟ !

ଆଲୋକରେ ଦେଖେ ଚୋର ଧନିକର ଧନ,

ଆଲୋକରେ ତଡ଼ି ମୋତେ କରେ ତା’ ହରଣ ।

କେହି ଅବା ବୋଲେ ମୋତେ ଲମ୍ପଟର ବନ୍ଧୁ

ମୋ’ ଯୋଗେ କୁପଥେ ପରା ଯାଏ କୁଳବଧୂ ।

କୁଳବଧୂ ମୁଖ କିଏ କରେ ପ୍ରଦର୍ଶନ,

କିଏ ବା କରାଏ ତାର ଚିତ୍ତ ଆକର୍ଷଣ ।

ନ ଧରନ୍ତି କେହି କେବେ ତେଜସ୍ୱୀର ଦୋଷ,

ସ୍ୱଭାବେ ଶୀତଳ ମୁହିଁ, ସ୍ୱଭାବେ ମୋ’ ତୋଷ ।

ଗୁଣ ଘେନିବାକୁ ଲୋକେ ନ ଥିଲେହେଁ ଅନ୍ୟ,

ମୋ’ ଗୁଣ ବିଚାରି ନିଜେ ବୋଲେ ମୁହିଁ ଧନ୍ୟ ।

[୧୯୧୫ ମାର୍ଚ୍ଚ, ଉତ୍କଳ ସାହିତ୍ୟ]

•••

 

ସୂର୍ଯ୍ୟ ପ୍ରତି ଦୀପ

 

ଭାସ୍କର ନାମକୁ ସୂର୍ଯ୍ୟ କରୁଛ ସଫଳ,

ଆଲୋକିତ କରି ଚର-ଅଚର ସକଳ ।

ମୋର ପ୍ରତି ପ୍ରତିକୂଳ ହେଲ କି କାରଣ,

ଯା’ ଥିଲା ମୋ’ ପ୍ରଭାଟିକ ତା କଲ ହରଣ ।

ତୁମ୍ଭ ରିପୁ ତମ, ତାକୁ ନାଶ ଏ ସଂସାରେ,

ମୁହିଁ ତମ ନାଶିଥାଏଁ ଶକ୍ତି ଅନୁସାରେ ।

ଉଚିତ ଅଟଇ ମୋହଠାରେ ତୁମ୍ଭତୋଷ,

କିନ୍ତୁ ମୋ’ ଆଲୋକ ନାଶ ଦେଖି କେଉଁ ତୋଷ ?

ଅନ୍ଧକାର ସଙ୍ଗେ କଲ ମୋ’ ଆଲୋକ ଗଣ୍ୟ,

ଧନ୍ୟ ପ୍ରଭାକର ତୁମ୍ଭ ମିତ୍ର ନାମ ଧନ୍ୟ !

ନୟନ-ଦେବତା ତୁମ୍ଭେ ଏ କି ଚମତ୍କାର,

ନ ପାରିଲ ବାରି ନିଜେ ଆଲୋକ ଅନ୍ଧାର ।

ଏହି ସ୍ୱଭାବରୁ ତୁମ୍ଭେ ହେଲେ ଯେତେ ବଡ଼,

ଚିହ୍ନା ପଡ଼ିଗଲ ସିନା ଦେବ ନୁହ ଜଡ଼ !

[୧୯୧୫ ଅକ୍ଟାବର, ୧୯୧୫, ଉତ୍କଳ ସାହିତ୍ୟ]

•••

 

ବାକ୍ୟବୀର ଓ କର୍ମବୀର

 

ଭେକ ଗରଜିଲେ ଆସଇ ବରଷା

ଜଳଧାରେ ମହୀ କରେ ପ୍ଳାବିତ,

ବାକ୍ୟବୀର ଡାକି କରଇ ଭରସା

କର୍ମବୀର ଥିବ ବୋଲି ଜୀବିତ ।

ମରୁଦେଶ ଭେକ ଗରଜଇ ନାହିଁ

ନାରଦ ସେ ଦେଶେ ନ ଦିଏ ନୀର,

କର୍ମବୀର କର୍ମ- କୁଣ୍ଠିତା ନ ଚାହିଁ

ନ ଡାକନ୍ତି କେବେ ବଚନବୀର ।

ହେଲେ ବିଦ୍ୟୁଲ୍ଲେଖା ଗର୍ଜନ ଭୀଷଣ

ଜଣାଯାଏ ମେଘ ବର୍ଷିବ ଜଳ,

ତେଜସ୍ୱିନୀ ଲେଖା ସୁତୀବ୍ର ଭାଷଣ

କର୍ମବୀରଠାରେ ନୁହେ ନିଷ୍ଫଳ ।

କୋକିଳ ଭାଷିଲେ ରସାଳ ପାଚଇ,

ଭୁଞ୍ଜନ୍ତି ତା ସୁଖେ ଜଗତ-ଜନ,

ବାକ୍ୟେ କର୍ମବୀର ଶକ୍ତି ସଞ୍ଚରଇ,

ତେବେ କରେ ଲୋକହିତ ସାଧନ ।

କାକ ଡାକ ଶୁଣି ଉଠଇ ମାନବ

କର୍ମେ ରତ ହୁଏ ତେଜି ପଲ୍ୟଙ୍କ,

ଚକ୍ଷୁ ଖୋଳି କାକ ଖାଇଲେହେଁ ଶବ

ପକାଇ ପାରଇ ନାହିଁ ପଲକ ।

ଉତ୍ତେଜିତ ଲୋକ ହୁଏ ଉପଦେଶେ

ଧନପଣ ତହିଁ ହୁଅନ୍ତି ଚାଳି,

ନ ଥାଏ ପୁରୁଷ- କାର ଯେଉଁ ଦେଶେ

ସହି ନେଇଥାଏ ସହସ୍ର ଗାଳି ।

ବେଦାନ୍ତ ମତରେ ଚତୁର୍ଦ୍ଦଶଟି ଇନ୍ଦ୍ରିୟର ଚତୁର୍ଦ୍ଦଶଟି ଦେବତା ଅଛନ୍ତି । ତନ୍ମମଧ୍ୟରୁ ଚକ୍ଷୁର ଦେବତା ସୂର୍ଯ୍ୟ

[୧୯୧୫ ଅଗଷ୍ଟ, ଉତ୍କଳ ସାହିତ୍ୟ]

•••

 

ସଙ୍ଗ-ଫଳ

 

ସ୍ୱର୍ଣ୍ଣ ବର୍ଣ୍ଣ କମିଅର ପୁଷ୍ପ ମନୋହର,

କିନ୍ତୁ ତାର ଫଳ ବିଷ ଭୀଷଣ ବିଷମ ।

ଶିବ ପାଶେ ରହିବାରୁ ସଙ୍ଗର କି ଫଳ,

ଗଉରୀ ଗଉର କାନ୍ତି ଭୁଜଙ୍ଗ ଗରଳ ।

ସେରୂପେ ଧୂସ୍ତୂର ଫୁଲ ଜାହ୍ନବୀବରଣ,

ଫଳ କରିଅଛି ସର୍ପ-ବିଷ ଆକର୍ଷଣ ।

ଏହିରୂପେ କେତେ ଲୋକ ଶାସ୍ତ୍ରସଙ୍ଗ ଗୁଣ,

ଘେନି ହୋଇଥାନ୍ତି ହିତ ଭାଷଣେ ନିପୁଣ ।

କିନ୍ତୁ କର୍ମେ କରିଥାନ୍ତି ଅତ୍ୟନ୍ତ ଅହିତ

ବଦ୍ଧ ହୋଇ ନୀଚ ଦୁଷ୍ଟ ପ୍ରବୃତ୍ତି ସହିତ ।

[୧୯୧୪ ଅକ୍ଟୋବର, ଉତ୍କଳ ସାହିତ୍ୟ]

•••

 

ତାରା-ସୂର୍ଯ୍ୟ

ହେ ତାରକାଗଣ, କିପାଁ ଦିଶ ସାନ ସାନ,

ତୁମ୍ଭେ ପରା ଅଛ କେତେ ରବି-ରଶ୍ମିମାନ ?

ଦିବସେ ନ ଦିଶି କିପାଁ ରଜନୀରେ ଦିଶ,

ପ୍ରଭାକର ହୋଇ ତୁମ୍ଭ ମନେ ଭୟ କିସ ?

ତୁମ୍ଭକୁ ଯେ ବୋଲିଥାନ୍ତି ଚନ୍ଦ୍ରଜାୟା ଜନେ,

ସେ କଥାରେ ନ ହୁଏ କି ଲଜ୍ଜା ତୁମ୍ଭ ମନେ ?

ଜାଣିଲି ଜାଣିଲି ତୁମ୍ଭେ ସୂର୍ଯ୍ୟ ଅଟ ସତ,

ଆଲୋକିତ କରୁଅଛ ନିଜର ଜଗତ ।

ଆମ୍ଭ ଭାସ୍କରକୁ ତୁମ୍ଭ ରାଜ୍ୟଲୋକ ସାରା,

ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକ ତାରା ।

ତୁମ୍ଭ ରାଜ୍ୟେ ତୁମ୍ଭ ଆଗେ ଆମ୍ଭର ଭାସ୍କର,

ନ ଦିଶନ୍ତି ତେଣୁ ଦିନେ ନ ହୁଅ ଭାସ୍ୱର ।

ଯାହାକୁ ଯେମନ୍ତ ଦିଶେ ତେମନ୍ତ ସେ ଭାଷେ,

ସେ କଥାରେ ମହତଙ୍କ କି ଯାଏ କି ଆସେ ?

କେତେ ଚନ୍ଦ୍ର ଖଟୁଛନ୍ତି ତୁମ୍ଭର ଚରଣେ,

ଆମ୍ଭ ଚନ୍ଦ୍ରେ ପତି ବୋଲି ତୁମ୍ଭର କେ ଗଣେ ?

ତୁମ୍ଭ ରାଜ୍ୟେ ଦିଅ ତୁମ୍ଭେ ପ୍ରଚୁର କିରଣ,

ତେଣୁ ସେହିଠାରେ ଥିବ ତୁମ୍ଭ ରବିପଣ ।

ଆମ୍ଭ ରାଜ୍ୟେ ଆମ୍ଭ ରବି କରେ ତମ କ୍ଷୟ,

ଏଣୁ ଆମ୍ଭେ ଚାହୁଁଥାଉଁ ତାଙ୍କର ଉଦୟ ।

ତୁମ୍ଭେ ଯେତେ ବଡ଼ ହେଲେ ଆମ୍ଭର କି ଲାଭ,

ଆମ୍ଭ ତମ ନାଶିବାକୁ ନାହିଁ ତ ପ୍ରଭାବ।

ଯେ ଯାହାର ହିତ କରେ ନ ନେଲେ ତା ନାମ,

ଆମ୍ଭ ଦେଶେ କହୁଁ ତାକୁ ନିମକହାରମ ।

[୧୯୧୪ ଅକ୍ଟୋବର, ‘ଉତ୍କଳ ସାହିତ୍ୟ’]

•••

 

ଜ୍ୟେଷ୍ଠ ଜାତିର ଅପକର୍ମର ପରିଣାମ

 

ଯେତେବେଳେ ଜ୍ୟେଷ୍ଠ ଜାତି ହୋଇ ଦୁରାଚାର

କନିଷ୍ଠ ଉପରେ କରେ ନାନା ଅତ୍ୟାଚାର;

ଧର୍ମାଧର୍ମ ନ ବିଚାରି ଦେଖାଏ ସ୍ୱବଳ,

ସ୍ୱାର୍ଥସିଦ୍ଧି ପାଇଁ ସୃଜେ ବିବିଧ କୌଶଳ,

ଈଶ୍ୱରେ ନ ଗଣି ମଣେ ନିଜକୁ ଈଶ୍ୱର

ବିସ୍ମରେ ଜୀବନେ ହିତସାଧନ ବିଶ୍ୱର,

ପର-ଦୁଃଖ ପର-ତାପ ନ କରି କଳନା

ପ୍ରତାପ ଦେଖାଏ ତାର ଅଦ୍ଭୁତ ଛଳନା,

ନିଜ ସୁଖବୃଦ୍ଧି ପାଇଁ କରି ଯତନ,

ଘୃଣାରେ ନ ଛୁଏଁ ଚାହିଁ କନିଷ୍ଠ ପତନ,

ତେତେବେଳେ ହରାଏ ତା’ ଜ୍ୟେଷ୍ଠତା ଗୌରବ,

କନିଷ୍ଠର ଧର୍ମବଳେ ପାଏ ପରାଭବ।

ଏହି ରୂପେ ପୂର୍ବଦେବ ପୁଣ୍ୟଜନମାନେ (୧)

ଅପଧର୍ମେ ଘୃଣ୍ୟ ହେଲେ ରାକ୍ଷସାଭିଧାନେ ।

 

୧.

ପୂର୍ବଦେବ ଓ ପୂଣ୍ୟଜନ ରାକ୍ଷସମାନଙ୍କର ନାମ।

•••

 

ଗଣେଶଙ୍କର ଆତ୍ମକଥା

 

ଗଣେଶ ବୋଲନ୍ତି ବିଘ୍ନରାଜ ବୋଲି

ପୂଜା କରି ମୋତେ ନରେ,

ବହୁ ଚାଟୁ କରି ପ୍ରବର୍ତ୍ତାଇଥାନ୍ତି

ବିଘ୍ନକୁଳ ନାଶନରେ ।

ଚାଟୁ ଯା’କରନ୍ତି ଚାଟୁ ନୁହେ ତାହା

କେବଳ ଅସହ୍ୟ ଗାଳି,

ନର କେହି ସହି ନ ପାରନ୍ତେ, ଦେବ-

ସ୍ୱଭାବେ ନିଏଁ ସମ୍ଭାଳି ।

କେହି ବୋଲେ ହାତୀ- ମୁଣ୍ଡିଆ, କେହି ବା

ବୋଲଇ ଏକଦନ୍ତିଆ,

କେହି ବୋଲିଥାଏ ଦୁଇ ମାଆ ପୁଅ

କେ ବୋଲେ ଲମ୍ବପେଟିଆ ।

ବିଘ୍ନଙ୍କର ଯେବେ ରାଜା ହେଲି ମୁହିଁ

ସେ ତ ହେଲେ ମୋର ପ୍ରଜା,

ପ୍ରଜାନାଶ କରି କାହିଁ ଉଡ଼ାଇବି

ଅପକୀରତିର ଧ୍ୱଜା ?

ମୃଗରାଜ ସିନା ମୃଗ ନାଶ କରେ

ପାଶବ ସ୍ୱଭାବ ଧରି,

ଦେବତା ହୋଇ ମୁଁ ସେ କ୍ରୂର ଅଧର୍ମ

କର୍ମ କରିବି କିପରି ?

ଦେବତା ହୋଇ କେ ଆଶ୍ରିତ ନାଶିବା

ଦେଖା ନାହିଁ, ଶୁଣା ନାହିଁ,

ଆଶ୍ରିତ ନାଶିଲେ ନରଲୋକେ ମୋତେ

ପୂଜିବେ ଆଉ କିପାଇଁ ?

ନରେ ବାଞ୍ଛୁଛନ୍ତି ବିଘ୍ନଙ୍କ ମରଣ

ପାଇ ସେହି ସମାଚାର,

ନରଙ୍କ ଉପରେ ବିଘ୍ନମାନେ ସିନା

କରୁଛନ୍ତି ଅତ୍ୟାଚାର !

ବିଘ୍ନ ସଙ୍ଗେ ଯେହୁ ମିତ୍ରପଣ କରି

ତୋଷିଥାନ୍ତି ସମାଦରେ,

ବିଘ୍ନ ଦେଇ ତାଙ୍କୁ ସାହସ, ତୋଷଇ

ସିଦ୍ଧିପଥ ସମ୍ବାଦରେ ।

ବିଘ୍ନମାନେ ମୋର ସତତ ଅଛନ୍ତି

ସିନ୍ଧିଭଣ୍ଡାର-ପ୍ରହରୀ,

ସିନ୍ଧି ତା’ ହସ୍ତକୁ ନ ଯାଏ ଯେ ଥାଏ

ଦୂରୁ ଚାହିଁ ତାଙ୍କୁ ଡରି ।

•••

 

ପରିଶ୍ରମ

 

ଅବନୀଗରଭେ ରହିଛି ପୂରି ପ୍ରଚୁର ଜଳ

ତେତେ ବାହାରିବ ଖୋଳିବ ଯେତେ ପ୍ରକାଶି ବଳ ।

ସେହି ଜଳ ଆଣି ପ୍ଳାବିତ କଲେ ଅବନୀ ଉର,

ଫଳ ମୂଳ ଶାକ ଅଳପ ବୀଜେ ମିଳେ ପ୍ରଚୁର ।

ପରିଶ୍ରମ କରି ଅଧିକ ଅଳ୍ପ ଭୂମିରେ ମାଳୀ,

ବାର ମାସ ନିଜ କୁଟୁମ୍ବ ନିଏ ସ୍ୱଚ୍ଛନ୍ଦେ ପାଳି ।

ବହୁ ଭୂମି ଥାଇ କୃଷକ ହୋଇ ଶ୍ରମବିମୁଖ,

ଇନ୍ଦ୍ରେ ଦୋଷ ଦେଇ ସଲିଳ ବିନା ଲଭଇ ଦୁଃଖ ।

ଇନ୍ଦ୍ରଦତ୍ତ ଜଳ ଯତନେ ପୁଣି ରଖଇ ନାହିଁ,

ଜଳାଭାବ ବେଳେ ସତୃଷ୍ଣେ ଥାଏ ଶୂନ୍ୟକୁ ଚାହିଁ ।

ଅଳସ ଲୋକର ପାଶକୁ ନ ପଶଇ ସମ୍ପଦ,

ମଧୁ ଆସି ମୁଖେ ନ ପଶେ ଶୋଇଥିଲେ ଷଟ୍‌ପଦ

ଦେଶ ଦଶାନ୍ତର ବିଚରି ପକ୍ଷୀ ପୋଷେ ଉଦର,

କ୍ଷୁଧାରେ ମରଇ ଅଳସ ତେଜି ନ ପାରି ଘର ।

ବାୟା ବିହଙ୍ଗମ କରଇ କେଡ଼େ ସୁନ୍ଦର ବସା,

କୁଟୀର ଅଭାବେ ଅଳସ ଭୁଞ୍ଜେ ଘୋର ଦୁର୍ଦ୍ଦଶା ।

ଘାସ ଖାଇ ପଶୁ ସତତ ନରେ ସାହାଯ୍ୟ କରେ,

ଓହୋ କି ବିଚିତ୍ର ତଥାପି ନର ଉପାସେ ମରେ !

ନରକୁ ଦଇବ ଜଗତେ ଅଛି କିସ ନ ଦେଇ ?

ଦ୍ୱାରେ ଦ୍ୱାରେ ବୁଲି ତଥାପି ବୋଲେ ସେ ଦେହି ଦେହି ।

ନିଜ ନିଜ ପେଟ ପୋଷନ୍ତି କୀଟପତଙ୍ଗଗଣ,

ପେଟ ପାଇଁ ନର ଭିକାରି ଧରେ ପର ଚରଣ ।

[୧୯୧୫ ଜୁନ୍, ଉତ୍କଳ ସାହିତ୍ୟ]

•••

 

କର୍ମଗୁଣ

 

ଉଚ୍ଚ ସେହୁ ଉଚ୍ଚ କର୍ମ କରେ ଯେଉଁ ଜନ,

କରମ ନିମନ୍ତେ ନାହିଁ ବଂଶ ପ୍ରୟୋଜନ ।

ନୀଚ ହୋଇ କରେ ଯେବେ ଉତ୍ତମ କରମ,

ତା ଚରଣ ଉଚ୍ଚ ସେବେ ସଂସାର ଧରମ ।

କର୍ମ ଯୋଗୁଁ ଲୌହ ଆସି ରହେ ସମାଦରେ,

ଶୋଭିତ ହେବାକୁ ସ୍ୱର୍ଣ୍ଣ ଲାଗେ ତା’ ପାଦରେ ।

[୧୯୧୭ ଅକ୍ଟୋବର, ଉତ୍କଳ ସାହିତ୍ୟ]

•••

 

ମହାନ୍ଧକାର

 

(୧)

ଅନ୍ଧକାର ଅନ୍ଧକାର ଅନ୍ଧକାରରାଶି,

ଅନନ୍ତ ଆକାରେ ଅଛି ଜଗତକୁ ଗ୍ରାସି ।

ସଉର ଜଗତ ଦୀପ ଆମ୍ଭ ପ୍ରଭାକର

ଅନ୍ଧକାର ନାଶେ ମାତ୍ର ସୌର ଜଗତର ।

ବିଶ୍ୱ ତୁଳନାରେ ଏହି ସଉର ଜଗତ

ପୃଥ୍ୱୀ ତୁଲେ ଗୃହଟିରୁ ନ ହେବ ବୃହତ ।

ପୃଥିବୀର ପୃଷ୍ଠେ ଅଛି ଯେତେ ଯେତେ ଘର,

ତହିଁ ଦୀପ ଏକ ଏକ ତାରା ମନେକର ।

ପ୍ରଥମ ନିଶାରେ ଉଠି ପର୍ବତ ଶିଖରେ

ଦୃଷ୍ଟିପାତ କଲେ ଏକ ପ୍ରକାଣ୍ଡ ନଗରେ,

ନଗର ଆଲୋକ ଯଥା ହୁଏ ଦୃଶ୍ୟମାନ,

ଛାୟାପଥ ହୋଇପାରେ ସେ ଦୃଶ୍ୟ ସମାନ ।

ଘୋର ଘନ ସମାଚ୍ଛନ୍ନ ଅମା ରଜନୀରେ

ଅବଶିଷ୍ଟ ଅନ୍ଧକାର ଯେତେ ଅବନୀରେ,

ତହୁଁ ବଳି ତମେ ପୂର୍ଣ୍ଣ ଅସୀମ ଗଗନ,

ଅତି ଦୂରୁ ଦିଶୁଅଛି ସୁନୀଳ ବରଣ ।

ବିଶ୍ୱ ଯଦି ହୋଇଥାନ୍ତା ଶୁଭ୍ରାଲୋକମୟ,

ନ ଦିଶନ୍ତେ ରବି ଚନ୍ଦ୍ର ତାରକାନିଚୟ ।

ପର୍ବତେ ଜଳଇ ବହ୍ନି ଦିଶଇ କି ଦିନେ,

ନ ଦିଶେ ତେଜସ୍ୱୀ-ତେଜ ତିମିରବିହୀନେ ।

କି ସୂର୍ଯ୍ୟ କି ତାରା ସର୍ବେ କ୍ଷୟର ଅଧୀନ,

କାଳେ ମହା-ଅନ୍ଧକାର-ଗର୍ଭେ ହେବେ ଲୀନ ।

(୨)

ଅଙ୍ଗାରଗରଭେ ଯଥା ହୀରକ ଜନମ,

ତମୋଗର୍ଭେ ଜନମିବା ଜ୍ୟୋତିଷ୍କଧରମ ।

ଜାତର ମରଣ ସର୍ବେ କରନ୍ତି ସ୍ୱୀକାର,

କିଏ ନ ବୋଲିବ ତେବେ ନିତ୍ୟ ଅନ୍ଧକାର ?

ତମୋମୟ ମହାକାଶେ ସୁପ୍ରକାଶମାନ

ଆକାଶ, ମରୁତ, ବହ୍ନି, ଜଳ, ଭୂମିମାନ,

ଆକାଶ ବହିଛି ସେହି ତିମିରବରଣ,

ମରୁତେ ତିମିର କାନ୍ତି ହୋଇଛି କ୍ଷରଣ ।

କୃଷ୍ଣ ଅର୍ଚ୍ଚିନାମ ନିଜେ ବହିଛି ଅନଳ,

ନୀଳ ଦିଶେ ସ୍ୱଚ୍ଛସିନ୍ଧୁ, ସରିତର ଜଳ ।

ଭୂମିର ଗରଭେ ବିଲେ ଭୂଧର କନ୍ଦରେ

ନିତ୍ୟ ଅନ୍ଧକାର, ଲୁଚି ନାହିଁ ସୂର୍ଯ୍ୟ ଡରେ ।

ରବି କରେ ଅଛି ନୀଳ ବର୍ଣ୍ଣେ ଅନ୍ଧକାର,

ତରୁ ତୃଣ ଶ୍ୟାମଳତା ତାହାର ବିକାର ।

ଆଲୋକେ ଦିଶଇ ସବୁ ଅନିତ୍ୟ ବରଣ,

ତମଃ କୃଷ୍ଣବର୍ଣ୍ଣ ନିତ୍ୟ ଜଗତଶରଣ ।

ଜ୍ୟୋତିଙ୍କ ଜନମଦାତା ସର୍ବ ତମୁପର,

ଏକ ମହାଜ୍ୟୋତିର୍ମୟ ପରମ ଈଶ୍ୱର ।

[୧୯୧୭ ଜୁନ୍, ଉତ୍କଳ ସାହିତ୍ୟ]

•••

 

Unknown

ଗର୍ବ

ଗର୍ବ ବୋଲେ, ମୁହିଁ ଏକା ଶ୍ରେଷ୍ଠତମ ଭବେ

କ୍ଷୁଦ୍ର ହୋଇଥାଏ ବଡ଼ ମୋ’ କୃପାବିଭବେ ।

ଅତି କ୍ଷୁଦ୍ର ହୃଦେ ଯେବେ କରେଁ ଅଧିଷ୍ଠାନ,

ଦେଖଇ ସେ ଜଗତକୁ ନିଜଠାରୁ ସାନ ।

ଘୁଷୁରି ଉପରେ ବସି ମୋହର ଭକତ,

ରଜାରୋହୀଠାରୁ ମଣେ ନିଜକୁ ଉନ୍ନତ ।

ବସିପାରେଁ ଯଦି ଯାଇ ଗଜାରୋହୀ ହୃଦେ,

ଐରାବତାରୂଢ଼ ଇନ୍ଦ୍ର କରେଁ ତାକୁ ମୁଦେ ।

ମୁଁ କରାଇପାରେଁ ଯା’କୁ ବର୍ଣ୍ଣ ପରିଚୟ,

ନିଜକୁ ସେ ସୁପଣ୍ଡିତ ମଣିବ ନିଶ୍ଚୟ ।

ପଢ଼ାଇ ପାରିବି ଯା’କୁ କାବ୍ୟ ଖଣ୍ଡେ-ଅଧେ,

ବସିବାକୁ ବାଞ୍ଛଇ ସେ ବୃହସ୍ପତି ପଦେ ।

ଲେଖାଇ ପାରିଲେ ପଦ ଯୋଡ଼ି ମିତ୍ରାକ୍ଷର,

ମଣାଇବି ଶୁକ୍ରଠାରୁ କବି ଶ୍ରେଷ୍ଠତର ।

ଦରିଦ୍ର କରିବ ଯେବେ ମୋ’ ପଦେ ଭକତି,

ମଣିବ ସେ ତାକୁ ସମ୍ ନୁହେ କୋଟିପତି ।

ଅଳ୍ପବିତ୍ତ ହୃଦେ ମୋର ହେଲେ ଅଧିଷ୍ଠାନ,

ମଣିବ ସେ ଆପଣାକୁ କୁବେର ସମାନ ।

ସମସ୍ତେ ବୋଲନ୍ତି ବଡ଼ ଧନଠାରୁ ମନ,

ମନ ବଡ଼ ହୁଏ କଲେ ମୋ’ ପଦ ଭଜନ ।

ମୋହର ଚରଣ ସେବି ଗ୍ରାମାଧୀଶମାନେ,

ମଣ୍ଡିଥାନ୍ତି ଆପଣାକୁ ଭୂପତି ସମ୍ମାନେ ।

ମୁକୁଟ ପରାଏ ମୁହିଁ ମଣ୍ଡେ ଯା’ର ମଥା,

ସାନ ମୁଖେ କହିଥାଏ ବଡ଼ ବଡ଼ କଥା ।

ନ ଶୁଣେ ଅନ୍ୟର କଥା ମୂଲ୍ୟହୀନ ଜାଣି,

ଯାହା ଜାଣେ ହୋଇଥାଏ ତହୁଁ ବଡ଼ ଜ୍ଞାନୀ ।

ହିମାଚଳଚୂଡ଼ା ଜିଣି ଉନ୍ନତ ମୋ’ ଶିର,

ହୃଦୟ ମୋହର ମହାସାଗରୁ ଗଭୀର ।

ମୋତେ ଭଜି ମୋର ଯୋଗ୍ୟ କର୍ମ ଯେହୁ କରେ,

ଶିରେ ବହି ଟେକେ ତାକୁ ଉନ୍ନତିଶିଖରେ ।

ମୋ’ ଗରଭେ ମଜ୍ଜି ଯେହୁ ହୁଏ କର୍ମହୀନ,

ଅତଳ ଗଭୀରେ ପଡ଼ି ହୋଇଯାଏ ଲୀନ ।

[୧୯୧୮ ଜାନୁଆରୀ, ‘ଉତ୍କଳ ସାହିତ୍ୟ’]

[୧୯୧ ଜୁଲାଇ, ‘ସମ୍ୱଲପୁର-ହିତୈଷିଣୀ’]

•••

 

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର

ମନ ଯା’ର ବ୍ୟସ୍ତ ସଦା ପରସ୍ୱହରଣେ,

ଧନ ଯା’ ର ବିଦଳିତ ଗଣିକା-ଚରଣେ,

ଜୀବନ ଯା’ ଲକ୍ଷ ଳକ୍ଷ ଲୋକଙ୍କର ଭାର,

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।

ବିଦ୍ୟା ଯା’ର ମୋଡ଼ୁଥାଏ ଧର୍ମନୀତି ମୁଣ୍ଡ,

ବୁଦ୍ଧି ଯା’ର କରୁଥାଏ ଶତ ସତ୍ୟ ଗୁଣ୍ଡ,

ଧନେ କ୍ରୀତ ହେଉଥାଏ ଯାହାର ବିଚାର

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।

ସୁବର୍ଣ୍ଣ ହରଣ କରି ତାମ୍ର କରେ ଦାନ,

ଧନେ କରିଥାଏ ପ୍ରଭୁ ସନ୍ତୋଷବିଧାନ,

ଢାଙ୍କିବାକୁ ଦୋଷ ଦିଏ ନାନା ଉପହାର,

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।

ଭ୍ରମଣ ଖରଚ ପାଇଁ ପାଇଥାଏ ଭତ୍ତା,

ଖାଇଥାଏ ମୋଡ଼ି ଏଣେ ଦରିଦ୍ରଙ୍କ ମଥା,

କରୁଥାଏ କ୍ଷମତାର ଅପବ୍ୟବହାର,

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।

ବହିର୍ଗତ ହୋଇଥାଏ ଘରୁ ଶୂନ୍ୟକରେ,

ଶଗନ ଶଗଡ଼ ଦ୍ରବ୍ୟ ଆଣି ଘରେ ଭରେ,

ସେହି ଦ୍ରବ୍ୟମାନ ପୁଣି ଦେଖାଏ ବଜାର,

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।

[୧୯୧୮ ଫବୃଆରୀ ଉତ୍କଳ ସାହିତ୍ୟ]

•••

 

ବଳରାମ ଦେବ

 

(୧)

ମାତାର ଆଦେଶ ପାଇ ଭ୍ରାତୃଶକ୍ତି ଫଳ,

ଅଙ୍ଗ ତରଙ୍ଗିଣୀ ଅଙ୍ଗ କରି ଉଲଙ୍ଘନ,

ହୀରାଖଣ୍ଡ ରାଜ୍ୟେ ଶୁଭ ପଦାର୍ପଣ କଲ,

ବଳରାମ ଦେବ, ଆଦ୍ୟ ଅବନୀମଣ୍ଡଳ ।

ଶୂର ବୀର ଧୀରବର ପୁରୁଷରତନ,

ସାହସ କିରଣେ ଦୀପ୍ତ ବଦନମଣ୍ଡଳ,

ଚାହିଁ ଏହି ମହୀ କରି ପ୍ରୀତି ସମ୍ଭାଷଣ

ପଦ ପ୍ରକ୍ଷାଳିଲା ଆଣି ଜିରା-ଦନ୍ତା (୧) ଜଳ ।

ଦ୍ୱାଦଶ-ପାହାଡ଼ (୨) ଗିରି ମଲ୍ଲୀମାଳ କରି,

ହର୍ଷେ ତବ ସୁବିଶାଳ ବକ୍ଷେ ଦେଲା ଭରି ।

(୨)

ଗିରି ଉରସିଜ ବନ-କଣ୍ଟକ-ଲୋମଶ,

ଅବନୀର ବିଳାସରେ ନ ହେଲ କାତର,

ଭାବିଲ କଣ୍ଟକନାଡ଼େ ଫୁଟେ ତାମରସ,

ତାହା ସିନା କମଳାର ଚିର ପ୍ରିୟ ଘର ।

ଦ୍ୱିରଦ ଗର୍ଜନ, ଭୀମ ଉରଗ ତର୍ଜନ,

ଭୀତି ଦେଇ ନ ପାରିଲେ ହୃଦୟେ ତୁମ୍ଭର,

ଦେଖିଲ କେବଳ ତାଙ୍କ ମସ୍ତକ ରତନ

ରାଜଲକ୍ଷ୍ମୀ ଭୂଷଣେ ଯା ହୁଏ ମନୋହର ।

ବ୍ୟାଘ୍ରନାଦ ଶୁଣି କଲ ମନରେ ବିଚାର,

ଅଭିଷେକେ ହେବ ତାର ଚର୍ମ ଉପଚାର ।

(୩)

ସୁକାନ୍ତିତନୟା ତୀରେ ରମ୍ୟ ତରୁତଳେ,

ଦ୍ୱିରଦ-ରଦନ-ଶୁଭ୍ର ବାଲିବେଦୀ ବକ୍ଷେ,

ସିଂହାସନ କରି ଶୁଭ୍ର କୁସୁମପଟଳେ,

ବସାଇ ତୁମ୍ଭଙ୍କୁ ବନଦେବତା ପ୍ରତ୍ୟକ୍ଷେ ।

ଆଦ୍ୟ ଅଭିଷେକ ବିଧି କଲେ ସମ୍ପାଦନ,

ଆଣି ରାମ-ପାଦ-ପଦ୍ମ-ରଜ-ପୂତ-ନୀର, (୩)

(ଗର୍ଭ ଯା’ର ହୀରକର ଜନମସଦନ)

କୁସୁମପଟଳେ ମଣ୍ଡିଦେଲେ ତବ ଶିର ।

ଭାଗ୍ୟଦେବୀ ସମଲାଈ ରୂପେ ହସି ହସି,

ସ୍ୱହସ୍ତେ ଧରାଇଦେଲେ ଅରିଞ୍ଜୟ-ଅସି ।

 

(୪)

ଦେଖୁଁ ଦେଖୁଁ ଚଉଦିଗୁ କ୍ରମେ କ୍ରମେ ଆସି,

ନୃପତିମଣ୍ଡଳ ତବ ହେଲେ ପାର୍ଶ୍ୱଚର

ଦିଶିଲା ମୂରତି ତୁମ୍ଭ ପ୍ରତୀଭା ପ୍ରକାଶି,

ରକ୍ଷଗଣ ମଧ୍ୟେ ଯଥା ପୂର୍ଣ୍ଣ ସୁଧାକର ।

ବାମଭାଗେ ବିରାଜିଲେ କମଳକୁମାରୀ,

ଗାଙ୍ଗପୁର ରାଜସୁତା ରୋହିଣୀ ସଦୃଶା;

ତାଙ୍କ ପାଶେ ମୁକ୍ତାଦେଈ ପୁଷ୍ପସୁକୁମାରୀ,

ଶ୍ରୀ ସମୀପେ ଗୀଃ ସ୍ୱରୂପ ଇନ୍ଦୀବରଦୃଶା ।

ଶ୍ୱେତଛତ୍ର ବିଶୋଭିଲା ମସ୍ତକ ଉପରେ,

ଗିରିଶରେ ଶରଦର ଜଳଦରୂପରେ ।

(୫)

ଦେଖୁଁ ବାଲିବେଦୀ ହେଲା ଗଜଦନ୍ତମୟ,

ପୁଷ୍ପସିଂହାସନ ହେଲା ସ୍ୱର୍ଣ୍ଣସିଂହାସନ,

ରତ୍ନ ହେଲେ କିରୀଟର କୁସୁମନିଚୟ,

ଦଶଦିଗ ଆଲୋକିଲା ଖଡ୍‌ଗର କିରଣ ।

ରାଜଲକ୍ଷ୍ମୀ ଜୟଲକ୍ଷ୍ମୀ ନ କରନ୍ତି ମନ,

କେତେବେଳେ ଛାଡ଼ିବାକୁ ତୁମ୍ଭର ନିକଟ,

କୀର୍ତ୍ତିଶ୍ୱରୀ ସେହିପରି ହୋଇ ସୁପ୍ରସନ୍ନ,

ଚଉଦିଗେ କରୁଥାନ୍ତି ମହିମା ପ୍ରକଟ ।

ତାଙ୍କଠାରେ ହୋଇଥାଅ ସମର୍ପିତ ପ୍ରାଣ,

ତେଣୁ ବୃଦ୍ଧି କରୁଥାନ୍ତି ତୁମ୍ଭର ସମ୍ମାନ ।

(୬)

ଯେତେବେଳେ ଭାରତର ଯବନଦହନେ

ସନ୍ତାପିତ ହେଉଥିଲେ ପ୍ରକୃତି ସକଳ,

ସୁଖ-ସୂର୍ଯ୍ୟ ଉଇଁ ତୁମ୍ଭେ ଏ ରାଜ୍ୟ-ଗଗନେ

ବିକଶାଉଥିଲ ରମ୍ୟ ଶାନ୍ତି-ଶତଦଳ ।

ହଂସରୂପେ ଆସି ତହିଁ ବିବୁଧମଣ୍ଡଳ,

ସୁଖେ ତୁମ୍ଭ ତଳେ କଲେ ବାସ ବିଚରଣ,

ନିଜ ନିଜ ଅଭିଳାଷମତେ ପାଇ ଫଳ,

ସ୍ଥାନାନ୍ତର ଗମିବାକୁ କଲେ ନାହିଁ ମନ ।

ଦୁରାଚାରୀ ଯବନର ଅପମିତ୍ର ନାମ,

ନ ପାରିଲା ସ୍ପର୍ଶକରି ଏ ପବିତ୍ର ଧାମ ।

 

ପ୍ରବାଦ ଅଛି ଯେ, ପାଟଣା ମହାରାଜା ନୃସିଂହଦେବଙ୍କ ରାଣୀ ବର୍ଷାରଜନୀରେ ଆସନ୍ନପ୍ରସବା ଦେବାରୁ ଧାତ୍ରୀ ଡାକିଆଣିବା ବିଷୟରେ ନୃସିଂହଦେବ ଚିନ୍ତିତ ଥିଲେ । କାରଣ ରାଜାଙ୍କର ନବର ଓ ଧାତ୍ରିର ନିବାସ ଗ୍ରାମ ମଧ୍ୟରେ ଗୋଟିଏ ସ୍ରୋତସ୍ୱତୀ ଥିଲା । ନୃସିଂହଦେବଙ୍କ ଭ୍ରାତା ବଳରାମଦେବ ଅଗ୍ରଜଙ୍କ ଅଜ୍ଞାତସାରରେ ସେହି ଭୀଷଣ ରଜନୀରେ ସନ୍ତରଣଦ୍ୱାରା ନଦୀ ପାରହୋଇ ଧାତ୍ରୀକୁ ନିଜ ପୃଷ୍ଠରେ ଧରି ନଦୀ ପାର କରି ଆଣିଲେ । ଧାତ୍ରୀ ଯଥାସମୟରେ ରାଣୀଙ୍କ ନିକଟରେ ଉପସ୍ଥିତ ହୋଇ ସମ୍ପୂର୍ଣ୍ଣରୂପେ ନିଜର କର୍ତ୍ତବ୍ୟ କାର୍ଯ୍ୟ ସବୁ ସାମଧାନ କଲା । ନୃସିଂହ ଦେବ ପରେ ସମସ୍ତ ଘଟଣା ଅବଗତ ହୋଇ ଅନୁଜଙ୍କୁ ଆନନ୍ଦରେ ସହିତ ଭାବୀ ସମ୍ବଲପୁର ଅରଣ୍ୟ ରଜ୍ୟର ରାଜତ୍ୱ ପ୍ରଦାନ କଲେ । ତେତେବେଳେ ବଳରାମ ଦେବଙ୍କ ଜନନୀ ଅଙ୍ଗ ନଦୀକୂଳକୁ ଆସି ପ୍ରିୟପୁତ୍ର ବଳରାମ ଦେବଙ୍କୁ ବିଦାୟ ଦେଇ କହିଲେ କି, ତୁ ଆଜିଠାରୁ ଅଙ୍ଗନଦୀର ଉତ୍ତର ଭାଗରେ ରାଜତ୍ୱ କରିବୁ । ଦକ୍ଷିଣ ଦିଗ ରାଜ୍ୟକୁ ଲୋଭ କରିବୁ ନାହିଁ, ଅର୍ଥାତ୍‍ ଜ୍ୟେଷ୍ଠଭ୍ରାତା ସଙ୍ଗେ କଳହ କରିବୁ ନାହିଁ ।

 

୧.

ଜିରା-ନଦୀବିଶେଷ, ଦନ୍ତା-ନଦୀବିଶେଷ

୨.

ବାରପାହାଡ଼-ସମ୍ୱଲପୁରର ସର୍ବପ୍ରଧାନ ପର୍ବତ

୩.

ସମ୍ବଲପୁର ନଗରର ଦୁଇ ମାଇଲ୍‍ ପଶ୍ଚିମରେ ମହାନଦୀଗର୍ଭସ୍ଥ ପ୍ରକାଣ୍ଡ ଶିଳାସ୍ତୁପରେ ଚାରିଟି ପାଦଚିହ୍ନ ଅଛି; ଲୋକେ ତାହାକୁ ରାମ-ଲକ୍ଷ୍ମଣଙ୍କର ପାଦଚିହ୍ନ କହନ୍ତି ।

 

[୧୯୧୧ ଅଗଷ୍ଟ, ଉତ୍କଳ ସାହିତ୍ୟରେ ପ୍ରକାଶିତ]

•••

 

ସ୍ୱର୍ଗୀୟ କବିବର ରାଧାନାଥ ରାୟ

 

(୧)

ଆସିଥିଲ ରାଧାନାଥ ବିଧିର ପ୍ରେରଣେ,

ଆବଶ୍ୟକ ସମୟରେ ଉତ୍କଳର ପାଇଁ,

ଭାରତୀଙ୍କି ମଣ୍ଡିବାକୁ ସୁରମ୍ୟ ଭୂଷଣେ,

ରତନଖଣିର ପଥ ଦେବାକୁ ଫିଟାଇ ।

ଅବିଶ୍ରାନ୍ତ ଭ୍ରମି କାବ୍ୟ-କୁସୁମ କାନନେ,

ବାଛି ବାଛି ଦିବ୍ୟ ଫୁଲ କଲ ନବ୍ୟ ହାର,

ସୌରଭ ତା’ ମହୀ ବ୍ୟାପି ଉଠିଲା ଗଗନେ

ଜନ୍ମାଇଲା ଦେବଙ୍କର ହୃଦେ ଚମତ୍କାର ।

ଅବନୀରେ ଥାଇ କଲେ ତୁମ୍ଭର ସମ୍ମାନ,

ଗଙ୍ଗବଂଶ-ଅବତଂସ ଯେ ସୁଢ଼ଳ ଦେବ,

ସ୍ୱର୍ଗେ ଉଠି ଶୂନ୍ୟ ଦେଖି ତୁମ୍ଭ ନିଜ ସ୍ଥାନ,

ଡାକିନେଲେ ସମାଦରେ ସେହି ବାସୁଦେବ ।

ଉତ୍କଳବାସୀଙ୍କି ଦେଇ ବହୁ ଉପଦେଶ,

ସାମୟ ଶରୀର ତେଜି ଗଲ ନିଜ ଦେଶ ।

 

(୨)

ପାର୍ବତୀଙ୍କୁ ରଖିଦେଲ ପୁତ୍ରୀଶୋକ ଦେଇ,

ପାଣ୍ଡବେ ରହିଲେ ସ୍ୱର୍ଗଗମନର ପଥେ,

କିଏ ତାଙ୍କୁ ଚଢ଼ାଇବ ହିମାଦ୍ରିକି ନେଇ,

କିଏ ନେଇ ବସାଇବ ତ୍ରିଦିବର ରଥେ ?

ଫିଟାଇ ଦେଇଛ ଶାସ୍ତ୍ର କବି କ୍ଷମତାର,

ଚିହ୍ନାଇ ଦେଇଛ ରଙ୍ଗଜର୍ଜରିତ ତୂଳି,

ଶିଖାଇ ଦେଇଛ ପୁଣି ତାର ବ୍ୟବହାର,

ଆଦର୍ଶ ଦେଇଛ ମନୋମୋହିନୀ ପିତୁଳୀ ।

କାହା ହସ୍ତେ ନ୍ୟସ୍ତ କରି ଗଲ କାର୍ଯ୍ୟଭାର,

କାହାର ବା ତୁମ୍ଭ ସମ ଅଛି ମନ ଧନ,

ଯାହା ପ୍ରତି କରିଥିଲ ଅଙ୍ଗୁଳିର ଠାର,

ଈଶ୍ୱର କି ଦେବେ ତାଙ୍କୁ ତୁମ୍ଭ ପରି ପଣ ?

ଜଣାଅ ସ୍ୱର୍ଗରେ ଥାଇ ଈଶ୍ୱର ସମୀପେ,

ଉତ୍କଳ ଉଜ୍ଜ୍ୱଳ ହେଉ ତୁମ୍ଭ ସମ ଦୀପେ ।

 

(୩)

ନ ଥିଲେ ନବୀନ କବିତୁମ୍ଭ ଅଗୋଚର,

କବି ପଦ୍ମାକର ହେଲେ ହେଉଥିଲେ ରବି,

ଫୁଟିଲେ କବିତ୍ୱ-କଞ୍ଜ ହୋଇ ମଧୁକର

ହରିତ ପୂରିତ କର ସୁମଧୁର ରବି ।

ସୁଜନ ସମାଜେ ଗଣି ହେଉଥିଲ ତଳେ

ଭୁଲିଯାଇ ନିଜ ଭବ ଭାବ ଉଚ୍ଚାସନ,

ପ୍ରତିବିମ୍ବରୂପୀ ଯଥା ସୁନିର୍ମଳ ଜଣେ,

ଦିନମଣି ଗ୍ରହରାଜ ଗଗନ-ଭୂଷଣ ।

କାଳ-ସିନ୍ଧୁ ତନୁ ପୋତ-କମ୍ପମାନ ଚୂଳେ

ବସି ଧର୍ମ ଦରବାର ଦୃଶ୍ୟ ଦେଖାଇଲ,

ମିଷ୍ଟ ଭର୍ତ୍ସନାର ଛଳେ ଉଚ୍ଚାରି ଆକୁଳେ

ହସାଇ ହସାଇ କେତେ ନୀତି ଶିଖାଇଲ ।

ହୋଇଛି ଯେ ବାକ୍ୟାବଳୀ ଶ୍ରୀମୁଖୁ କ୍ଷରିତ,

ହେଉଛି ଉତ୍କଳ ଆଜ ତହିଁ ମୁଖରିତ ।

 

(୪)

ବଙ୍ଗେ ବସି ବଙ୍ଗବାସୀ ଦେଲେ ଧନ୍ୟବାଦ

ଦୂରୁ ଦୃଷ୍ଟିଦେଇ ତୁମ୍ଭ କୀରତି-କେତନେ,

ଘନ ଘନ ତୁମ୍ଭ ନାମେ ଧନ୍ୟ ଧନ୍ୟ ନାଦ

ପ୍ରବେଶିଲା ଭାରତର ରାଜନିକେତନେ ।

ଭାରତ-ରାଜେନ୍ଦ୍ରମଣି ପାଇ ସେ ସମ୍ବାଦ

ଗୁଣଭୂଷାପୂର୍ଣ୍ଣ ବକ୍ଷେ ପଦ ପୁଷ୍ପହାର

ମଣ୍ଡି ଦେଇ ପ୍ରକାଶିଲେ ଅଖଣ୍ଡ ପ୍ରସାଦ,

କରି ରାଜା ମହାରାଜା ଘେନି ଦରବାର ।

ଋଷି ଥିଲ, ଥାଇ ତୁମ୍ଭ ସଂସାର ଗହନେ,

ବ୍ରତ ଥିଲା ଉତ୍କଳର କଲ୍ୟାଣସାଧନ,

ଗାନ ତୁମ୍ଭ ଉତ୍କଳର ମାନସମୋହନେ,

ଧ୍ୟାନ ତୁମ୍ଭ ଉତ୍କଳର ଗୁଣଗାଥା ଧନ ।

ଅସମୟେ ଉତ୍କଳକୁ କଲ ଯାହା ଦୂର,

ଅଭାଗ୍ୟ ତା’ ଉତ୍କଳର, ରାୟ ବାହାଦୁର ।

 

(୫)

ସୂର୍ଯ୍ୟଜାୟା ଛାୟା ଦେବୀ ବସାଇଲେ ଅଙ୍କେ,

ସାଦର ସ୍ନେହରେ ତୁମ୍ଭ ସ୍ୱର୍ଗୀୟ ମୂରତି

ବିବୁଧମଣ୍ଡଳ ତାହା ଚାହିଁ ଅପଲକେ

ନୟନର କଲେ ଚିର ପିପାସା ପୂରତି ।

ଉତ୍କଳମାତାକୁ ଯେତେ ରମ୍ୟ ପୁଷ୍ପହାର

ଦେଇଥିଲ, ନନ୍ଦନୁ ତା’ ବହୁଗୁଣେ ଆଣି

ଦିଆଇଲେ ଗଳେ ତୁମ୍ଭ ପ୍ରୀତି-ଉପହାର

ବିବୁଧଗଣଙ୍କ କରେ ଦେଇ ବୀଣାପାଣି ।

ସେହିପରି ପୁଷ୍ପ ଆଣି ବିଦ୍ୟାଧରଗଣ

ହରଷେ ଫିଙ୍ଗିଲେ ତୁମ୍ଭ ମସ୍ତକ ଉପରେ,

ରମଣୀଏ ହୋଇ ତାଙ୍କ ପ୍ରସନ୍ନବଦନ

ଗାଇଲେ ତୁମ୍ଭରି ଗୀତ ସୁମଧୁରସ୍ୱରେ ।

ରହିଲ ଅମରରୂପେ ହୋଇ ସୁଧାପାୟୀ,

ସତ୍ୟ ହେଲା ବୋଲନ୍ତି ‘ଯା ଦେଇଥିଲେ ପାଇ’ ।

[ତା ୨୦ । ୧୦ । ୧୯୧୧ ସମ୍ବଲପୁର ହିତୈଷିଣୀରେ]

•••

 

ମଧୁସୂଦନ ରାଓଙ୍କ ସ୍ୱର୍ଗାରୋହଣ

ଉତ୍କଳର ପ୍ରିୟପୁତ୍ର ହେ ମଧୁସୂଦନ,

ମର-ତନୁ ତେଜି ଗଲ ଅମର ଭୁବନ ।

ରୋଗଯନ୍ତ୍ରଣାରେ ଲବେ ନ ହୋଇ କାତର

ଉତ୍କଳର ହିତ ସାଧୁଥିଲ ନିରନ୍ତର ।

ଭ୍ରମାଇ ଉତ୍କଳେ ମନ, ଅପଘନ ଧ୍ୟାନ

ଉତ୍କଳର ଘରେ ଘରେ ବାଣ୍ଟିଅଛ ଜ୍ଞାନ ।

ଉତ୍କଳର ଦୁଃଖଭାରେ ନ ହୋଇ ଅଧୀର,

ଅସ୍ଥିସାର ଅବୟବ ଘେନିଥିଲ ବୀର !

ଶରୀରବଳରୁ ଜ୍ଞାନବଳର ଉତ୍କର୍ଷ,

ପ୍ରଦର୍ଶନ ପାଇଁ ଥିଲ ଉତ୍ତମ ଆଦର୍ଶ ।

ନିଜର ପ୍ରତିଭା-ଦୀପ ବୁଲାଇ ଉତ୍କଳେ,

ଜାଳିଲ ଅନେକ ଦୀପ ବିବିଧ କୌଶଳେ ।

ଜନମିଲେ ଦିନେ ଅଛି ଅବଶ୍ୟ ମରଣ,

ଅମର ସେ ଯା’କୁ ଲୋକେ କରନ୍ତି ସ୍ମରଣ ।

କେତେ ଲୋକ ଦେଖିଛନ୍ତି ତୁମ୍ଭର ଶରୀର ?

ନାମ ତୁମ୍ଭ ସଂଖ୍ୟାତୀତ ହୃଦେ ଚିର ସ୍ଥିର ।

ଏ ସମସ୍ତ କଥା ଜାଣୁଥିଲେହେଁ ହୃଦୟ,

ଦୁଃଖଭାରେ ଆଜି ହୋଇଯାଉଛି ଅଥୟ ।

ଦେଖୁ ତ ନ ଥିଲି ତୁମ୍ଭ ପବିତ୍ର ମୂରତି,

କିପାଁ ଦୁଃଖେ ହୃଦ ମୋର ହେଉଛି କରତି ?

ଚାରିଦିଗେ ଶୁଭୁଅଛି ହାହାକାର ରବ,

ଉତ୍କଳର ଚାରୁ ମୁଖ ଦିଶୁଛି ନିଷ୍ପ୍ରଭ ।

ଲକ୍ଷ ଲକ୍ଷ ଲୋକ ଆଜ ବହୁ ଦୂରେ ଥାଇ,

ନେତ୍ରନୀର ତେଜୁଛନ୍ତି ତୁମ୍ଭ ଗୁଣ ଗାଇ ।

ବାଳକବାଳିକାବୃନ୍ଦ ହୃଦେ ଦୁଃଖ ପୋଷି

କାନ୍ଦୁଛନ୍ତି ବିଦ୍ୟାଳୟେ ତୁମ୍ଭ ଗୁଣ ଘୋଷି ।

ଗ୍ରାମେ ଗ୍ରାମେ ଶୋକରବେ ଶିକ୍ଷକସକଳ

ଗାଉଛନ୍ତି ଗୁଣ କରି ଜୀବନ-ବିକଳ ।

ସମ୍ବାଦପତର ଶୋକ କରୁଛି ପ୍ରଚାର

ସୁଗୁରୁ ଗମ୍ଭୀର ନାଦେ ବହି ଦୁଃଖଭାର ।

ପ୍ରିୟ ସୁହୃଦ୍‌ବର ତୁମ୍ଭେ ରାଧାନାଥଙ୍କର,

ମଣୁଥିଲ ତାଙ୍କ ପାଖେ ଅତି ସୁଖକର ।

ସ୍ୱରଗେ ଲଭିବା ପାଇଁ ସେହି ବନ୍ଧୁବର,

ସତ୍ୱର ତେଜିଲ ପରା ମର-କଳେବର ।

ତୁମ୍ଭ ପାଇଁ ଫିଟିଅଛି ସ୍ୱର୍ଗର କବାଟ,

ସରଳ ସୁଗମ ହୋଇଅଛି ପୁଣି ବାଟ ।

କବିତାସକଳ ତୁମ୍ଭ ଦେବକନ୍ୟାବେଶେ,

ଘେନିଯିବେ ସମାଦର କରି ସ୍ୱର୍ଗଦେଶେ ।

ଦେଇଛ ତାହାଙ୍କୁ କବି କେତେ ଅଳଙ୍କାର,

ସେ ଭୂଷା ଜ୍ୟୋତିରେ ନିଶ୍ଚେ ହେବ ଚମତ୍କାର

ଦେଇଅଛ ଜଗତକୁ ଯେତେ ଉପେଦଶ,

ସେସବୁ ଧରିବେ ତହିଁ ବିଦ୍ୟାଧରବେଶ ।

କରିବାକୁ ତବ ଚିତ୍ତ ପ୍ରୀତି ଆକର୍ଷଣ,

ନନ୍ଦନ-କୁସୁମ ଶିରେ କରିବେ ବର୍ଷଣ,

ନିଜେ ସୁରପତି ଆସି ଧରି ତୁମ୍ଭ ହାତ

ବସାଇବେ ତହିଁ, ଯହିଁ ଥିବେ ରାଧାନାଥ ।

ଜ୍ୟୋତିର୍ମୟ ରୂପ ଧରି ଗଗନମଣ୍ଡଳେ

ବିତରଣ କରୁଥିବ ଜ୍ୟୋତି ଏକ ଉତ୍କଳେ ।

[୧୯୧୨ ଡିସେମ୍ବର, ଉତ୍କଳ ସାହିତ୍ୟ]

•••

 

ସ୍ୱର୍ଗୀୟା କୃଷ୍ଣକୁମାରୀ

ଧନ୍ୟା କୃଷ୍ଣକୁମାରୀ ମା’ ଭାଗ୍ୟବତୀ ସତୀ,

ତପଫଳେ ପାଇଥିଲ ମୁନିକଳ୍ପ ପତି ।

ଅବତରି ଥିଲ କି ମା’ ସ୍ୱରଗର ଦେବୀ,

ସ୍ୱର୍ଗୀୟ ପ୍ରେମରେ ଥିଲ ପତିପଦ ସେବି ।

ସୁତା ସୁତା ଦେଇ ସେହି ପ୍ରଣୟର ଫଳ

ସଂସାର- ଜଞ୍ଜାଳ କି ମା’ ମଣିଲ ଗରଳ !

ପତି-ହୃଦ-ଦରପଣେ ପ୍ରତିବିମ୍ବ ରଖି

ଚଳିଗଲ ସ୍ୱର୍ଗପୁର ନିଜ ଧାମ ଲକ୍ଷି ।

ସେ ହୃଦୟଦରପଣ ପ୍ରଶସ୍ତ ନିର୍ମଳ,

ସ୍ଥାନ ପାଇଅଛି ତହିଁ ସମସ୍ତ ଉତ୍କଳ ।

ପତିଦତ୍ତ ଉପହାର କୁସୁମ-ସୌରଭେ

ଆମୋଦିତ କରୁଅଛ ଉତ୍କଳ-ଗୌରବେ ।

କୀରତି-ଶଇଲଚୂଳେ ପତି ବାମଭାଗେ,

ଆସନ ତୁମ୍ଭର ବହୁ ରାଜା-ରାଣୀ ଆଗେ ।

ଉତ୍କଳବରେଣ୍ୟ କବି ଫକୀରମୋ ହନ,

କରିଥିଲ ବୋଲି ତାଙ୍କ ପୀରତି ଦୋହନ,

ଧରିଥିଲ ବୋଲି ତାଙ୍କ ପୁଣ୍ୟମୟ କର,

ଆଜି ତୁମ୍ଭ ସମାଧିର ଭୁବନେ ଆଦର ।

ସମାଧି-ମନ୍ଦିର ତୁମ୍ଭ ସ୍ୱକୀୟ ଆଳୟେ

ଦେଖୁଛନ୍ତି ପତି ପ୍ରେମ-ପ୍ଳାବିତ-ହୃଦୟେ ।

ଉତ୍କଳର ତୀର୍ଥ ତୁମ୍ଭ ପତିଙ୍କର ଘର,

ଚାହିଁ ପୂତ ହେଉଛନ୍ତି ଉତ୍କଳର ନର ।

ଚମତ୍କୃତ ହୋଇଥାନ୍ତି କରି ଦରଶନ

ଧନୀଙ୍କର ଧନରତ୍ନପୂରିତ ସଦନ;

ଯେଉଁମାନେ ଯାଇଥାନ୍ତି ତୁମ୍ଭ ପତିଦ୍ୱାର,

ଦୂରୁ ତାଙ୍କ ହୋଇଥାଏ ଭକତି ସଞ୍ଚାର ।

କାଳେ ଧନ ରତ୍ନ ସବୁ ଲଭଇ ବିନାଶ,

ତୁମ୍ଭ ପତି ଯଶ ହେବ ଅଧିକେ ବିକାଶ ।

[୧୯୧୬ ଡିସେମ୍ବର ଶେଷ ଓ ୧୯୧୭ ଜାନୁଆରୀ ପ୍ରଥମ ସପ୍ତାହ ମଧ୍ୟରେ ରଚିତ]

•••

 

ଫକୀରମୋହନଙ୍କ ମୃତ୍ୟୁଶଯ୍ୟା ନିକଟରେ ଉତ୍କଳମାତାର ରୋଦନ

ଆହା ଫକୀର ମୋର ରଙ୍କୁଣୀ-ଧନ,

କିପାଁ ରହିଲୁ ପଡ଼ି ମୁଦି ନୟନ,

ଆକୁଳେ ଡାକୁଅଛି ମୁଁ, ତୋ’ ଜନନୀ,

କିପାଁ ନ ଉଠୁ ଏ ତ ନୁହେଁ ରଜନୀ ରେ ।

ଉଠ ମୋ’ ବାପ ପଦ୍ମନେତ୍ର ପ୍ରକାଶି,

ମଧୁର କଥା ପଦେ କହି ଆଶ୍ୱାସି,

ତୋ’ ବିନା ଆଉ କେ ବା ଅଛି ଜଗତେ,

ପ୍ରାଣତୋଷିଣୀ କଥା କହିବ ମତେ ରେ ।

ମୋ’ ଲାଗି ନ ଗଣୁ ତୁ ଖରା ବରଷା,

ସେ ଘେନି ତୋ’ ଠାରେ ମୋ’ ସବୁ ଭରସା,

ନିଶୀଥେ ଉଠିପଡ଼ୁ ଶୁଣି ମୋ’ ଡାକ,

ଆଜି ତୋ’ ମୁଖୁଁ କିପାଁ ନ ସ୍ଫୁରେ ବାକ୍ୟ ରେ ।

ନ ଗଣୁ ଜ୍ୱରତାପ ମୋହରି ପାଇଁ,

ନ ଗଣି ଦୂର ଯାଉ ସତ୍ୱର ଧାଇଁ,

ଆଜି ଯେ କାନ୍ଦୁଅଛି ବସି ତୋ’ ପାଶେ,

କିପାଁ ନ ଚାହୁଁ ବାପ, ଉଠି ସତ୍ରାସେ ରେ ।

ନିତି ରାତିରେ ତୁ ଯେ ନୟନ ମୁଦୁ,

ଉଠାଇଥାଏଁ ତୋତେ ରବି ନ ଉଦୁ,

ଶୁଣାଇବାକୁ ମୋତେ ସରସ ଗାନ,

ଶିଖାଇବାକୁ ତୋର ଭାଇଙ୍କି ଜ୍ଞାନ ରେ ।

ଦିବସେ ଥରେ ଥରେ ନୟନ ମୁଦି,

ମୋ’ ଦୁଃଖ ହରିବାକୁ ଲୋଡ଼ୁ ଯେ ବୁଦ୍ଧି,

ପୁଣି ନୟନ ଫେଡ଼ି କଲମ ଧରୁ,

ଆଜି କିମ୍ପାଇ ବାପ, ତାହା ନ କରୁ ରେ ।

ଦୀର୍ଘ ସମୟ ଅବା ମୁଦି ନୟନ,

ଲୋଡ଼ୁଛି ମୋହୋ ପାଇଁ ସୁଖ-ଅୟନ,

ତେବେ କାହିଁକି ଛାଡ଼ୁନାହିଁ ନିଶ୍ୱାସ,

ଚାହିଁବୁ ବୋଲି ହେଉ ନାହୁଁ ବିଶ୍ୱାସ ରେ ।

ଶିଖି ଯେ ଥିଲୁ ବାପ, ଯୋଗସାଧନ,

ରୁଦ୍ଧ କି କରିଅଛୁ ପ୍ରାଣ-ପବନ,

ଏଡ଼େ ଶୀତଳ କିପାଁ ତୋ’ ଅପଘନ,

ସତେ କି ଛାଡ଼ିଗଲୁ ଜୀବର ଧନ ରେ ।

ଏରୂପେ ରାଧୁ ମଧୁ ଗଲେ ତ କାହିଁ,

ଯେତେ ଡାକିଲେ ପଦେ ଶୁଣିଲେ ନାହିଁ,

ତୁ ଏବେ ମୋ’ ଡାକକୁ ହେଲୁ ବଧିର,

କିଏ ପୋଛିବ ମୋର ନୟନନୀର ରେ ।

କୋଳେ ବସାଇ ତିନି କୁମରମଣି

ନିଜକୁ ଥିଲି ଭାଗ୍ୟଶାଳିନୀ ମଣି,

ମନରେ ବହିଥିଲି କେଡ଼େ ଗରବ,

ଦଇବ ହରିନେଲାଆଜି ସରବ ରେ ।

ଶେଷେ ତୁ ଶୂନ୍ୟ କରି ଜନନୀକୋଳ,

ହୃଦେ ଉଠାଇଦେଲୁ ଶୋକକଲ୍ଲୋଳ,

କୋଟିଏ ସୁତ ମଧ୍ୟେ ଗୋଟିଏ କାହିଁ,

ଦେଖୁ ତ ନାହିଁ ଶାନ୍ତି ଭଜିବା ପାଇଁ ରେ ।

ମୋ’ ରାଧୁ ମଧୁ ଗଲେ ଯେଉଁ ବିଦେଶ,

ଦେଲେ ତ ନାହିଁ ଆଜିଯାଏ ସନ୍ଦେଶ,

ତୁହି କି ସେହି ଦେଶେ ଗଲୁ ରେ ଚାଲି,

ପାରିଲି ନାହିଁ ତୋର ପଥ ଓଗାଳି ରେ ।

ତାଙ୍କ ବିରହେ ଦଗ୍‌ଧ ହେଲେ ମୋ’ ପ୍ରାଣ,

କରୁ ଯେ ଶୋକହର ସଙ୍ଗୀତ ଗାନ,

ସେ ପୋଥି ଦେଇଗଲୁ କାହାର ହସ୍ତେ,

କିଏ ଗାଇବ ତୁହି ଗାଉ ଯେମନ୍ତେ ରେ ।

ଯେତିକି ହେଉଥିଲା ତୋର ବୟସ,

ତେତିକି ହେଉଥିଲା ଗାନ ସରସ,

ତୋ’ ପରି ଜ୍ଞାନସିଦ୍ଧ କୁମର ଥାଉ,

ଦେଖିବି କାହିଁ ବାପ, ଲଭିବା ଥାଉ ରେ ।

ଆଣ ରେ ରାମାୟଣ ମହାଭାରତ,

ଆଉ ତା’ ପୋଥି ଅଛି ଭାର ଭାର ତ,

ଗାଅ ରେ ପୁଏ କରି ସମୁଚ୍ଚ ରବ,

କିଞ୍ଚିତେ ହେବ ଅବା ଶୋକ ଖବର ରେ ।

ତା’ ନାମ ଲେଖ ମୋର ସର୍ବ ଅଙ୍ଗରେ,

ଅକ୍ଷର ଖୋଳି ଭର ଦିବ୍ୟ ରଙ୍ଗରେ,

ତେବେ ବା ଘୁଞ୍ଚିବ ମୋ’ ଜୀବନ-ଦାହ,

ତା’ପରେ କର ଆଉ ଏକ ଉପାୟରେ ।

ତା’ ନାମାବଳୀ ଦିବ୍ୟରଙ୍ଗେ ବସନେ

ଲେଖି ଘୋଡ଼ାଇଦିଅ ମୋ’ ଅପଘନେ,

ସେ ବାସେ ପୋଛ ମୋର ନୟନବାରି,

ତହିଁ ବା ହେବ ଶୋକଭାର ନିବାରି ରେ ।

ତା’ ତନୁ ଭସ୍ମ ଆଣି ବୋଳ ମୋ’ ଅଙ୍ଗେ,

ତା’ ପ୍ରତିରୂପ ଦିଅ ମୋର ଉତ୍ସଙ୍ଗେ,

ଲୋତକ ପୋଛି ପୋଛି ତା’ ଚାହିଁ ଚାହିଁ,

ଜୀବନ କଟାଇବି ତା’ ଗୁଣ ଗାଇ ରେ ।

[୧୯୧୮ ଜୁଲାଇ, ଉତ୍କଳ ସାହିତ୍ୟ]

•••

 

ମଳୟ ଆବାହନ

 

ଧୀରେ ଧୀରେ ଆସ ମଳୟ ପବନ

ଧୀରେ ଧୀରେ ଆସ ବହି,

ପୁଲକିତ କର ଉତ୍କଳବାସୀଙ୍କି

ଶୁଭ ସମାଚାର କହି ।

ସ୍ୱାଗତ କରୁଛଁ       ଉପହାର ଘେନି

ଆମ୍ବ ବଉଳର କଷି,

ଉଦାର ହୃଦୟେ ଗ୍ରହଣ କର ତା

ମୃଦ୍ୟୁ ହିଲ୍ଲୋଳରେ ହସି ।

ସାଧୁ ସମୀପରେ ଉତ୍କର୍ଷ ଲଭଇ

ବନ୍ଧୁଦତ୍ତ ଉପହାର,

ତୁମ୍ଭ କରେ ପଡ଼ି ନିଶ୍ଚୟ ନିଶ୍ଚୟ

ଶ୍ରୀବୃଦ୍ଧି ହେବ ଏହାର ।

ଋଷିକୁଲ୍ୟା ଜଳେ ପୟର ପଖାଳି

ମହେନ୍ଦ୍ର ଆସନେ ବସ,

ଚିତ୍ରୋତ୍ପଳା ଜଳେ ସ୍ନାନ କରି ପାନ-

କର ସ୍ୱର୍ଣ୍ଣରେଖା ରସ ।

ମହୋଦଧି ଜଳେ ତର୍ପଣ କରିବ

ବିହରିବ ବନେ ବନେ,

ନୃସିଂହନାଥର       ପ୍ରପାତ ଲମ୍ଫନ

ଚାହିଁ ମୁଗ୍‌ଧ ହେବ କ୍ଷଣେ ।

ତୁମ୍ଭ ଗଲା ଦିନୁ କେତେ ବିପର୍ଯ୍ୟୟ

ଘଟିଅଛି ଏ ଭୁବନେ,

ଶୁଣ ବନ୍ଧୁ ଆଗେ ତୁମ୍ଭଙ୍କୁ କହିବା

ପାଇଁ ରଖିଅଛିଁ ମନେ ।

ବନ୍ଧୁ ନିକଟରେ ମନକଥା ସବୁ

କହିବାକୁ ଲାଗେ ସୁଖ,

ବସନ୍ତ ନିକଟେ ତହିଁପାଇଁ ସିନା

ପିକ ହୁଏ ବାବଦୂକ ।

ଚୂତ ବଉଳାଇ       ରସାଳ ଫଳାଇ

ପଚାଉଥିବ ଯା ଭଲ,

ପ୍ରଚଣ୍ଡ ପବନ       ନଷ୍ଟ କରିଦେଲା

ଝାଡ଼ିଝୁଡି ସେ ସକଳ ।

ଯେତେ ଯେତେ ଫୁଲ ବିକଶାଇଥିଲ

ପଲ୍ଲବାଇଥିଲ ତରୁ,

ଫୁଲସବୁ ଗଲା କେ ତରୁ ଭାଙ୍ଗିଲା

ଉପୁଡ଼ିଲା କେ ମୂଳରୁ ।

ତୁମ୍ଭ ସମୟରେ ଦେଉଥିଲେ ଯେଉଁ

ଭାସ୍କର ମଧୁର କର,

ତୁମ୍ଭ ଗଲା ଦିନୁ ଦିନୁ ଦିନ ହେଲା

ସେ କର ପ୍ରଖରତର ।

ଏତେ ପରଚଣ୍ଡ ହେଲା ଯେ ତହିଁରେ

ଜୀବନ ହେଲା ଅସ୍ଥିର,

ଦେହ ରକ୍ତ ପାଣି- ସ୍ୱରୂପେ ବହିଲା

ଭାଙ୍ଗିଲା ବଳ ଅସ୍ଥିର ।

କେତେବେଳେ ବାୟୁ କିଞ୍ଚିତେ ନ ବହି

ପ୍ରାଣ କରେ କଲବଲ,

ତୁମ୍ଭଙ୍କୁ ସ୍ମରଣ       କରୁ ସେତେବେଳେ

ଜୀବନଧାରୀ ସକଳ ।

କେବେ ରାତ୍ରେ ଚନ୍ଦ୍ର ତାରା ନ ଦିଶିଲେ

ଦିନେ ହେଲା ଅନ୍ଧକାର,

ଶୂନ୍ୟ ହେଲା ଘୋର ନିନାଦ, ଶୂନ୍ୟରୁ

ଖସିଲା ସଲିଳଧାର ।

ଯେଉଁ ସରିତକୁ ଦେଖୁଅଛ ଏବେ

ନିର୍ମଳ, ମୃଦୁଗାମିନୀ,

ଭୟଙ୍କର ବେଗେ ଧାଇଁଥିଲେ ହୋଇ

ଆବିଳ, କୂଳପ୍ଳାବିନୀ ।

ଯେତେ ଆବର୍ଜ୍ଜନା ଥିଲା ଅବନୀରେ

କରି ଅଙ୍ଗ ଅଳଙ୍କାର,

ପ୍ରଚଣ୍ଡ ଉପଳ       ଶିରେ ନାଚୁଥିଲେ

ଭୀଷଣ କରି ଚତ୍କାର ।

ଏହି ନଦୀ-ବାଲି ଗ୍ରୀଷ୍ମ ମଧ୍ୟାହ୍ନରେ

ହୋଇଥିଲେ ଅଗ୍ନିକଣା ।

ଶୀତରାତ୍ରେ ପୁଣି ହେଲେ ବରଫର

ଜନକ ସ୍ୱରୂପେ ଗଣା ।

ଯେମନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ହୋଇଥିଲା

ତହୁଁ ବଳିଗଲା ଶୀତ,

ନିଜେ ବିଭାବସୁ ଅନଳ କୋଣକୁ

ଦଉଡ଼ିଲେ ହୋଇ ଭୀତ ।

ଯେଉଁ ଦେହେ ଆର୍ଦ୍ର ବାସ ଢାଙ୍କୁଥିଲୁଁ

ତା’ପରେ ହୋଇ କାତର,

ସେହି ଦେହେ ସ୍ଥୂଳ କମ୍ବଳ ରେଜାଇ

ଢାଙ୍କିବା ନ ହେଲା ତୋର ।

ଶୀତ ସମ୍ମିଶ୍ରିତ ସୁଧାକର- କର

ବୋଧହେଲା ବିଷ ପ୍ରାୟେ,

ନାରିକେଳଜଳେ କର୍ପୂର ମିଶିଲେ

ଯଥା ବିଷ ହୋଇଯାଏ ।

ଅବଶ୍ୟ ସେ କାଳେ ପାଇଅଛୁଁ ଫୁଲ

ଫଳ କେତେ ପରକାର,

କିନ୍ତୁ ଯେତେ ଯେତେ କ୍ଳେଶ ପାଇଅଛୁଁ

ହୃଦେ ରହିଅଛି ଘାର ।

ଖରାବେଳେ ଶୀତ ବର୍ଷା ବାଞ୍ଛା କରୁ

ଆସି ସେ ବରଷା ଶୀତ,

ଯେମନ୍ତ ପ୍ରତାପ ଦେଖାଇଲେ ତହିଁ

ଖରାହିଁ ହେଲା ବାଞ୍ଛିତ ।

ଆଜି ସେ ସମସ୍ତ ହୋଇଛନ୍ତି ଶାନ୍ତ

ଚାହିଁ ତୁମ୍ଭ ଆଗମନ,

ଆସ ବନ୍ଧୁବର, ବୁକୁଚା ଫିଟାଇ

କର ସୁଖ ବିତରଣ ।

ଅନେକ ପାଦପ ଚନ୍ଦନ ହୁଅନ୍ତି

ପରା ତୁମ୍ଭ ସ୍ପରଶରେ,

ଆମ୍ଭ ଦେଶ ତରୁ- ସକଳ ତହିଁରୁ

ବଞ୍ଚିତ କେଉଁ ଦୋଷରେ ?

ଚନ୍ଦନ ନ ହେଲେ ନୁହନ୍ତୁ ପାଦପେ

ହୁଅନ୍ତି ତ କୁସୁମିତ,

ବନ ଉପବନ       ତୁମ୍ଭ ଆଲିଙ୍ଗନେ

ହୋଇଥାନ୍ତି ଆମୋଦିତ ।

ସତ୍ୱର ଫିଟାଅ ପଦ୍ମ ପରିମଳ

ମଲ୍ଲିକା ମଧୁର ବାସ,

ଦିଅ ଦିଅ ଜ୍ୟୋତି- ପ୍ରକାଶିନୀ ବଟୀ

ମ୍ଳାନି ହେବ ବେଗେ ନାଶ ।

ପ୍ରାଣପ୍ରମୋଦନ ରସ ପ୍ରଦାନରେ

ବିଳମ୍ବ ନ କର ଆଉ,

ଦେଇ ପ୍ରମାଞ୍ଜନ ପ୍ରେମେ ଆଲିଙ୍ଗନ

କର ହେ ପ୍ରସାରି ବାହୁ ।

ବିଞ୍ଚିଦିଅ ଚଣା       କେଦାର କେଦାରେ

ଖାଇ ‘ଦେଚଡ଼ାଇ’ ମାନେ,

ଦଳ ଦଳ ଉଡ଼ି ଗଗନେ ମାତିବେ

ତୁମ୍ଭର ବିଜୟ-ଗାନେ ।

ତଳେ ଗ୍ରାମେ ଗ୍ରାମେ ବାଳକମଣ୍ଡଳ

ମୁଦେ ହୋଇ ଉବ୍ଦେଳିତ,

ଉଚ୍ଚେ ଡାକି ଡାକି ଗାଅ ଗାଅ ବୋଲି

କରୁଥିବେ ଉତ୍ତେଜିତ ।

କେଉଁ ଦୂର ଦେଶେ ଏତେ ଦିନ ଯାଇ

ଥିଲ କହ ବନ୍ଧୁବର,

ହୁଅଇ କି ସେହି ଦେଶେ ସେହିପରି

ଆତପ ଝଡ଼ କାକର ।

ଫିଟାଇବ କି ନା ରସାଜ ଭଣ୍ଡାର

ଆଣିଛ ନା ଏ ବରଷ,

ଦେଇ ଅନୁକୂଳ- ଉତ୍ତର ସତ୍ୱର

ବଢ଼ାଅ ଆମ୍ଭ ହରଷ ।

[୧୯୧୭ ଫବୃଆରୀ, ଉତ୍କଳ ସାହିତ୍ୟ]

•••

 

ମାତୃଭୂମି

 

ଯେ କାଳେ ବାଳକ ବୁଲି ଯାଇପାରେ

ପଡ଼ୋଶିମାନଙ୍କ ଘର,

ସେ କାଳେ ଜାଣଇ ଅନ୍ୟ ଘରସବୁ

ତା’ ସଙ୍ଗୀ ବାଳକଙ୍କର ।

ପରେ ଯେତେବେଳେ ଆପଣା ପଡ଼ାରୁ

ଅନ୍ୟ ପଡ଼ା ବୁଲିଯାଏ,

ସେହି ସମୟରେ ପଡ଼ୋଶୀ ପଡ଼ାକୁ

ଆପଣାର ମଣିଥାଏ ।

ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ

ଗ୍ରାମରୁ ହୋଇ ବାହାର,

ସେ କାଳେ ଜାଣଇ ନିଜ ଘର ଯହିଁ

ସେ ଗ୍ରାମ ଅଟେ ତାହାର ।

ଆପଣା ଗ୍ରାମର ନଦୀ ପୁଷ୍କରିଣୀ

ବଗିଚା ଆଦି ସକଳ,

ଆପଣାର ବୋଲି କହେ; ପୁଣି ସେହି-

ସବୁକୁ ମଣଇ ଭଲ ।

ବଡ଼ ହୋଇ ଯେବେ କରି ଯାଇପାରେ

ଅନ୍ୟ ରାଜ୍ୟେ ବିଚରଣ,

ବଖାଣଇ ତହିଁ ନିଜ ରାଜା, ରାଜ୍ୟ-

ଲୋକଙ୍କର ଶ୍ରେଷ୍ଠପଣ ।

ହାତୀ ଘୋଡ଼ାଠାରୁ ଛେଳି ମେଣ୍ଢାଯାଏ

ସବୁ ତା’ ରାଜ୍ୟର ଭଲ,

ସକଳ ସୁଖର ଆକର ତାହାରି

ରାଜ୍ୟେଟି ଅଟେ କେବଳ ।

ତହୁଁ ବଡ଼ ହୋଇ ଯାଇଥାଏ ଯେବେ

କେହି କେବେ ଦେଶାନ୍ତର,

ସ୍ୱର୍ଗରୁ ଅଧିକ ବୋଲି ବୁଝେ ତେବେ

ଯେଉଁ ଦେଶେ ତାର ଘର ।

ଜ୍ଞାନବଳେ ଯେବେ ଜାଣେ ସମସ୍ତଙ୍କ

ଜନକ ଜଗତପତି,

ସହୋଦର ଜ୍ଞାନ- କରେ ଅବନୀର

ମାନବ-ସମାଜ ପ୍ରତି ।

ତେବେ ସେ ଜାଣଇ ଯେ କରଇ ଯେତେ

ଲୋକଙ୍କର ଉପକାର,

ବିଶ୍ୱପତିଙ୍କର ବିଶ୍ୱଗୃହେ ଅଟେ

ସେ ତେତେ ଯୋଗ୍ୟ କୁମାର ।

ଏହି ରୂପେ ଗ୍ରାମ- କଥା, ରାଜ୍ୟକଥା,

ଦେଶକଥା, ବିଶ୍ୱକଥା

ମାନବ-ଜୀବନେ ପ୍ରତୀତ ହେବାର

ଦର୍ଶିତ ହୁଏ ସର୍ବଥା ।

ମାତୃଭୂମି ମାତୃ- ଭାଷାରେ ମମତା

ଯା’ ହୃଦେ ଜନମି ନାହିଁ,

ତାକୁ ଯେବେ ଜ୍ଞାନୀ- ଗଣରେ ଗଣିବା

ଅଜ୍ଞାନ ରହିବେ କାହିଁ ?

[୧୯୧୪ ଡିସେମ୍ବର, ଉତ୍କଳ ସାହିତ୍ୟ]

•••

 

ଗୌରୀଶଙ୍କର ବା ଏଭରେଷ୍ଟ

 

ସ୍ଥାଣୁ ରୁଦ୍ର ବ୍ୟୋମକେଶ ଗିରୀଶ ଶଙ୍କର

ସ୍ୱର୍ଣ୍ଣଦୀ କମଳମାଳେ ମଣ୍ଡିତ ମସ୍ତକ,

ଷେଧୀଶ ଆହା ତହିଁ କେଡ଼େ ମନୋହର,

ବିଦ୍ୟୁଜ୍ଜିହ୍ୱ ନାଗମାଳ ତୁମ୍ଭ ଗ୍ରୈବେୟକ ।

ତୁଷାର ବିଭୂତିମୟ ଶୁଭ୍ର କଳେବର,

ପାର୍ବତୀ ସୁଷମା ଯହିଁ ଚିର ଆଲିଙ୍ଗିତ,

ଧ୍ୟାନମଗ୍ନ ଗୋବାହନ ସଦ୍ୟ ଦିଗମ୍ବର,

ନୀର୍ଜ୍ଜନେ ନିସ୍ତବ୍‌ଧେ ହୋଇଅଛି ବିଭାଜିତ ।

ବସି ତୁମ୍ଭ ପାଦତଳେ ମୁନୀନ୍ଦ୍ରମଣ୍ଡଳ

ଲଭୁଛନ୍ତି ବିଷ୍ଣୁପଦୀ ଅମୃତର କଣା,

ମୁଗ୍‌ଧ ହୋଇଥାନ୍ତି ଶୁଣି ତବ ଅବିରଳ

ସ୍ୱର୍ଗଭେଦୀ ମେଘମନ୍ଦ୍ର ଡମରୁ ବାଜଣା ।

ସୁଖକର ମଣିଅଛ ଶ୍ୱଶୁର ଆଳୟ,

ଜୟ ଶମ୍ଭୁ ଭୋଳାନାଥ ଜୟ ମୃତ୍ୟୁଞ୍ଜୟ ।

[୧୯୧୧ ଜୁଲାଇ, ମୁକୁର]

•••

 

ପ୍ରଧାନପାଟ

 

ଆହା ସେ ପ୍ରଧାନପାଟ ନେତ୍ର-ପ୍ରୀତିକର,

ଭାବୁକର ଭାବମୟ ହୃଦୟରଞ୍ଜନ,

ଗିରିଶିରବିଭୂଷିତ ଶୁଭ୍ର-ସ୍ୱଚ୍ଛ-ଝର,

ଆତପତାପିତ-ତନୁ-ତାପ-ବିଭଞ୍ଜନ ।

ସମୁଚ୍ଚ ଶିଖରୁ ଲମ୍ଫ ଦେଇ ବାରମ୍ବାର

ସୁରମ୍ୟ ବିପିନ କୋଳେ ହୁଏ ପ୍ରପତିତ,

ସଦାଶିବ ଶିରୁ ଯେହ୍ନେ ଜାହ୍ନବୀର ଧାର

ଡେଉଁଅଛି ତାରିବାକୁ ଭୁବନେ ପତିତ ।

ବୀକୀର୍ଣ୍ଣ ହେଉଛି ଦେହୁ ଶୀକରନିକର,

ବୃଷ୍ଟି ହେଉଅଛି ଯେହ୍ନେ ମୌକ୍ତିକପଟଳ

ମଧୁର ନିନାଦକର ମ୍ଳାନିଗ୍ଳାନିହର,

ଦେଖିଦେଲେ ମନପ୍ରାଣ ହୁଏ ସୁଶୀତଳ ।

ଶୁଭ୍ର କରି କୁଣ୍ଡ ଫେନ ବୁଦ୍‌ବୁଦ୍‌ନିବହେ

ସୁବିମଳ ସ୍ରୋତ ହୋଇ ବନଗର୍ଭେ ବହେ ।

[୧୯ । ୧୧ । ୧୯୧୦ ସମ୍ବଲପୁର ହିତୈଷିଣୀ]

•••

 

ବୁଢ଼ାରାଜା

 

ଦେଉଳ କୀରୀଟ-ଶିରେ ବିଜେ ବୁଢ଼ାରଜା,

ବିବିଧ କୁସୁମପୁଞ୍ଜେ ମଞ୍ଜି ଅପଘନ,

କୋହ୍ଳ ସୀମନ୍ତିନୀଙ୍କର ଚାହିଁ ନୃତ୍ୟମଜା

ତରୁ ଲୋମ ପୁଲକାଇ ମଜ୍ଜାଇଛ ମନ ।

ନିତି ନିତି ରେଳ ଆରୁ ଖଟୁଅଛି ପାଦେ

ବଜାଇ ବାଜଣା ଉଭା ହୋଇ ସିଂହଦ୍ୱାରେ,

ରଞ୍ଜୁଛି ମାନସ ତୁମ୍ଭ ରମ୍ୟ ଶଙ୍ଖନାଦେ,

ନାଦସ୍ରୋତ ପଡ଼େ ଯାଇ ହୃଦୟ-କେଦାରେ ।

ଦେଖିନେଲ ପ୍ରଥମରେ ଚୌହାଣଙ୍କ ଲୀଳା,

ସହିଲ ମର୍ହଟ୍ଟାଙ୍କର ଦୁର୍ନୀତିନିଚୟ,

ଦେଖିଲ ସୁନ୍ଦର ଯୋଗେ ଯେ କାଣ୍ଡ ଚଳିଲା,

ଦେଖୁଅଛ ଇଂରେଜଙ୍କ ରମ୍ୟ ଅଭିନୟ ।

ମାଡ଼ି ବସିଅଛ ମହୀ ମହା ସିଂହାସନ,

ତୁମ୍ଭ ଅଭିଷେକ କରେ ଜୀମୂତବାହନ ।

•••

 

ପାପକ୍ଷୟ ଘାଟ

 

ଏହି ସେହି ସୁପବିତ୍ର ପାପକ୍ଷୟ ଘାଟ,

ଗଜପତିଙ୍କର ଯହିଁ ହେଲା ପାପକ୍ଷୟ,

ନିଷ୍କଣ୍ଟକ ହୋଇଗଲା ସ୍ୱରଗର ବାଟ,

ମହାବ୍ୟାଧି ମୁଞ୍ଚି ରାଜା ହେଲେ ନିରାମୟ ।

ବହୁଛି ନିର୍ମଳ ଜଳ ତଟର ନିକଟ,

ଦେଖିଲାମାତ୍ରକେ ଲୋକନେତ୍ର ପାପ ହରେ,

ନିମଜ୍ଜିତ ହେଲେ ସୁଖ ଶାନ୍ତି ଲଭେ ଘଟ

ପବିତ୍ର ପ୍ରସାଦରାଶି ଜୀବନରେ ଭରେ ।

କରିଛନ୍ତି ଚୂନଲିପ୍ତ ପାଷାଣ-ସୋପାନ

ଗିରିଧାରୀ ଗିରିଧାରୀ-ପଦାବ୍‌ଜ-ଭ୍ରମର,

ବିସର୍ଜିଲେ ବଦରିକା ଆଶ୍ରମରେ ପ୍ରାଣ,

ନାମ ତାଙ୍କ ଏହିଠାରେ ହୋଇଛି ଅମର

ସୁଶୀତଳ ତଟ-ବଟ-ଛାୟା ମନୋରମ,

ମନ୍ଦ ଗନ୍ଧବହ ସହ ଦୂର କରେ ଶ୍ରମ ।

[୧୯.୧୧.୧୯୧୦ ସମ୍ବଲପୁର ହିତୈଷିଣୀ]

•••

 

ବାଳ ପାଦପ

 

କି କୋମଳ ମନୋହର ଚିକ୍‌କଣ ଉଜ୍ଜ୍ୱଳ,

ମହୀମାତୃକୋଳ-ଶୋଭୀ ବାଳ ତରୁମାନ,

ଅଖଣ୍ଡିତ କିଶଳୟ ବର୍ତ୍ତୃଳ ସରଳ

ଦିଶେ ଦରହାସାଞ୍ଚିତ ଅଧର ସମାନ ।

ନୟନେ ମଖାଇ ଦିଏ ପୀରତି-କଜ୍ଜ୍ୱଳ,

ପଦ୍ମରାଗ ମରକତ ବିଜୟ ବରଣ,

ସିକ୍ତ କରେ ମାନସକୁ ସିଞ୍ଚି ମୁଦ-ଜଳ,

ଲଭିଲେ ନବୀନ ରବି କନକକିରଣ ।

ହଲୁଥିଲେ ପବନରେ ଦିଶି ଝଲମଲ,

ଶୋକ-ସିନ୍ଧୁ ସୃଜି କୋଳେ ଲହରୀନର୍ତ୍ତନ,

ହିମବିନ୍ଦୁ ମଧୁମୟ ତା’ ବିମଳ ଦଳ,

ମଧୁମୟ କରିଦିଏ ସହୃଦୟ ମନ ।

ଧନ୍ୟ ତା’ର ଶିଳ୍ପକର ଶିଳ୍ପ କଉଶଳ,

ପୁନର୍ଦ୍ଧନ୍ୟ ଯେ ଗଢ଼ିଛି ନୟନଯୁଗଳ ।

[୧୦ । ୧୨ । ୧୦, ‘ସମ୍ୱଲପୁର ହିତୈଷିଣୀ’]

•••

 

ଉଦ୍‌ବୋଧନ *

 

ଦେଖ ବହୁଛି ହେ, ଈଶ୍ୱର-ଆଶିଷଧାର,

ଜ୍ଞାନ କର୍ମ ଗଙ୍ଗା- ଯମୁନା ପରାଏ

ଭବୁ କରିବାକୁ ପାର । ଘୋଷା ।

ଦୁହିଁଙ୍କର ଯହିଁ ସଙ୍ଗମ ତହିଁରେ

ବାଞ୍ଛାବଟ ହୁଏ ଜାତ,

ମିଳିତ ସେ ବଟ- ତଳେ ବସି ଯାହା

ବାଞ୍ଛି ବଳାଇବ ହାତ ।

ସେ ଧାରଯୁଗଳ ଉତ୍କଳଭୂମିର

ବହୁଦୂରେ ଅଛି ରହି,

କୁଲ୍ୟା ଖୋଜିବାର ପ୍ରୟାସ ନ କଲେ

ଆସି ନ ପାରିବ ବହି ।

କୁଲ୍ୟା ଖୋଳା ହୋଇ ନ ପାରିବ ଭାଇ

ଦୁଇ ଚାରି ଜଣକରେ

ଲୋକ ଲକ୍ଷ ଲକ୍ଷ ନ ବାନ୍ଧିଲେ ସଖ୍ୟ

ନ ମିଳିଲେ ପରସ୍ପରେ ।

କୋଟିଏ ସୋଦର ଗୋଟିଏ ଜୀବନ

ନ କରିବା ଯେତେ ଦିନ,

ଧୀର ଚାହିଁ ଚାହିଁ ଶୋଷେ ଥିବା ରହି

ଦଶା ହୋଇଥିବ ହୀନ ।

ଆଜି ଏହି ଶୁଭ ସମ୍ମିଳନେ ଶୁଭ

କ୍ଷଣେ କରୁଁ ଶୁଭଦାନ,

ଉତ୍କଳ-ବକ୍ଷରେ ବହିବ ଅଚିରେ

କର୍ମ ସଙ୍ଗେ ଆସି ଜ୍ଞାନ ।

ଈଶ୍ୱରଙ୍କ ଶୁଭ ଆଶୀର୍ବାଦକୁ ଯେ

ଜାଣି ଜାଣି କରେ ହେଳା,

ଦୁରାଶା-କୁହୁଡ଼ି ଗରଭେ ସେ ପଡ଼ି

ଭାଙ୍ଗଇ ଜୀବନ-ଭେଳା ।

*

ଉତ୍କଳ-ସମ୍ମିଳନୀର ଏକାଦଶ ଅଧିବେଶନ ଉପଲକ୍ଷେ ରଚିତ ।

୧.

ଗିରିଧାରୀ ମେହେର ନାମକ ଜଣେ ମହାଜନ । ସେ ସୋନପୁର ଗଡ଼ଜାତ ଅନ୍ତର୍ଗତ ବିନିକାରେ ବାସ କରୁଥିଲେ । ପରିଶେଷରେ ବୈଷ୍ଣବ ହୋଇ ବଦରିକାଶ୍ରମରେ ପ୍ରାଣତ୍ୟାଗ କରିଥିଲେ ।

•••

 

ନବବର୍ଷ

 

ବର୍ଷଟିଏ ଗଲା ଉତ୍କଳ-ଜୀବନେ

ଘଟାଇ ଗଭୀର ଦୁଃଖ,

ଦୁଃଖ ଉପଶମ ପାଇଁ କିଛି ପୁଣି

ଦେଖାଇ ଦେଇଛି ସୁଖ ।

ଦେଇଛି ଯେ ଦୁଃଖ ରହିବ ତା’ ବକ୍ଷ-

ସ୍ଥଳରେ କଳଙ୍କ ହୋଇ,

ଶତ ଚେଷ୍ଟାକଲେ ଶତ ସ୍ରୋତଜଳେ

ନ ପାରିବ ତାହା ଧୋଇ ।

ଯେ ମଧୁସୂଦନ ଉତ୍କଳସଦନ

କରୁଥିଲେ ଆଲୋକିତ,

ତାଙ୍କୁ ନେଇ ଏକ ବର୍ଷ ଅବିବେକ

ହୋଇଗଲା କଳଙ୍କିତ ।

ଗୌରବ ମସ୍ତକେ ବସାଇ କ୍ଷଣକେ

ବୈକୁଣ୍ଠନାଥଙ୍କୁ ହରି,

ତା’ ପରେ ବତ୍ସର ଘୋର କଳଙ୍କର

ବାନାଟିଏ ଗଲା ଧରି ।

ରାଧାନାଥ ମନ ବଇକୁଣ୍ଠ ଧନ

ହୋଇ ଚିର ସହକୃତ,

ଉତ୍କଳର ବଳ- ବର୍ଦ୍ଧକ ସମ୍ବଳ

ଥିଲା ଯଥା ଖଣ୍ଡ ଘୃତ ।

ଗଲେ ସେ ସକଳେ ଥୋଇ ଏ ଉତ୍କଳେ

ଜୀବନର ପ୍ରତିବିମ୍ବ,

ଦର୍ପଣ ଦୋଷରୁ ସହକାର ତରୁ

କେବେ କାହିଁ ହେବ ଲିମ୍ବ ।

ଦେଇଅଛି ହର୍ଷ ମଧ୍ୟରେ ଏ ବର୍ଷ

ସତ୍ୟବାଦୀ ବିଦ୍ୟାଳୟ,

ନବ ସଂସ୍ଥାପନେ ଉତ୍କଳର ପ୍ରାଣେ

ହେଲା ନବ ବଳୋଦୟ ।

ଯେଉଁ ଗଙ୍ଗବଂଶ ଉତ୍କଳରେ ଯଶ

ରଖିଛନ୍ତି ବିଦ୍ୟାବଳେ,

ତାଙ୍କ ବଂଶଧର ଶ୍ରୀ ଦିବ୍ୟଶଙ୍କର

ଆରୋହିଲେ ବିଦ୍ୟାଚଳେ ।

ବହି ନବ ଆଶା ଜନମିଛ ‘ଆଶା’

‘ଉତ୍କଳ ସେବକ’ ସହ,

ସାହିତ୍ୟ ସମାଜ ତେଜିଅଛି ରାଜ

ସାହାଯ୍ୟେ ମରଣ-ଭୟ ।

କରୁଣାବାରିଧି ରାଜପ୍ରତିନିଧି

ଦୁର୍ଦ୍ଦଶା କରିବେ ବୋଲି,

ଉତ୍କଳକୁ ବିଜେ କରି ଦେଲେ ନିଜେ

ଆଶ୍ୱାସ-ଚନ୍ଦନ ବୋଳି ।

ଉତ୍କଳ ଭବନ ନେତା ବିଚକ୍ଷଣ

ଶ୍ରୀ ମଧୁସୂଦନ ଦାସ,

ନିଜ ପରିବାର ଚାଳନର ଭାର

ନେଲେ ତେଜି ଅଉଦାସ୍ୟ ।

ଆସ ଆସ ନବ ସମ୍ବତ୍ସର ତବ

ପୟରେ ଅଭିବାଦନ,

ହରି ଦୁଃଖଭାର ଉତ୍କଳ ପ୍ରଜାର

କର ମଙ୍ଗଳସାଧନ ।

ନବ ନବ ବଳ ସୃଜିବା କେବଳ

ଅଟଇ କାଳ ବିଧି,

ହେ ଶୁଭ ସମୟ ହେଉ ସତ୍ୟମୟ

ତୋର ସନାତନୀ ସିଦ୍ଧି ।

ଉତ୍କଳବାସୀଏ ଉତ୍କଳଭାଷୀଏ

ଯହିଁ ତହିଁ ପଛେ ଥାଅ,

ନବ ପ୍ରତ୍ୟୁଷରେ ନବୀନ ଭାଷରେ

ନବୀନ ସଙ୍ଗୀତ ଗାଅ ।

କୋଟିଏ କଣ୍ଠରେ ଗୋଟିଏ ରାଗରେ

ଉଠିଲେ ସ୍ତବ ସଙ୍ଗୀତ,

କି ଜଗଦୀଶ୍ୱର କି ଭାରତେଶ୍ୱର

ନିଃସନ୍ଦେହ ହେବେ ପ୍ରୀତ ।

କର୍ମକ୍ଷେତ୍ର ମହୀ- ମଣ୍ଡଳରେ ରହି-

ଅଛ ସେହି ଯେତେ କଷ୍ଟ,

କର୍ମେ ଅଗ୍ରସର ହୁଅ ହେ ସତ୍ୱର

ତାହା ସବୁ ହେବ ନଷ୍ଟ ।

କର୍ମୀ ଅନୁକୂଳ ଆଜ ରାଜକୁଳ

କର୍ମ ଅନୁସାରେ ବର

ଦେବାକୁ ତତ୍ପର ସଦା ନ୍ୟାୟପର

ସମ୍ରାଟ ଭାରତେଶ୍ୱର ।

•••

 

ପ୍ରେତର ଅନୁତାପ

 

ପ୍ରେତ ବୋଲେ ମୋର ନାମେ ମୋ’ ପଲ୍ୟଙ୍କ

ନେଲେ କୁଳପୁରୋହିତ,

ମୋ’ ନାମରେ ଧନ ନେଇ ଖାଇ ତହିଁ

ନିଶ୍ଚିନ୍ତ ହେଲେ ନିଦ୍ରିତ ।

ମୋ’ ପାଠ୍ୟ ପୁସ୍ତକ ନେଇ ନ ପଢ଼ିଲେ

ପ୍ରକଟ ନ କଲେ ନାମ,

ମୋହ ନାମେ ଦୀନେ ଦାନ କଲେ ନାହିଁ

ନେଇ ମୋର ଭୂମି ଗ୍ରାମ ।

ବଢ଼ିଲା ତାଙ୍କର ପରିବାର ମୋର

ଦ୍ରବ୍ୟେ ଲଗାଇଲେ ବାଦ,

ମୋ’ ପୁତ୍ରକୁ ପୁଣି ଭଣ୍ଡିଲେ ସତତ

ଦେଇ ପଣ୍ଡ ଆଶୀର୍ବାଦ ।

ମାନସେ ତାହାଙ୍କ ରହିଲା ମୋ’ ପୁତ୍ର

ପଲ୍ୟଙ୍କ ଧନରେ ଲୋଭ,

ଶୀଘ୍ର ହସ୍ତଗତ ହେଉ ନାହିଁ ବୋଲି

କରୁଛନ୍ତି କେତେ କ୍ଷୋଭ ।

ମୋର ପିତା ମୁହିଁ ସେହିପରି ଦେଇ

ପଡ଼ିଲୁ ନିଜେ ସେ ପାଶେ,

ସେ ଆଦରଶ ଥୋଇଆସିଲି ହା

ମୋହରି ପୁତ୍ର ସକାଶେ ।

ମୋହ ଧନ ଖାଇ ପୁରୋହିତ ଯେତେ

କରୁଛନ୍ତି ଅପକର୍ମ’

ସେହି କର୍ମଦୋଷ- ଭାଗୀ କରି ମୋତେ

ଦଣ୍ଡୁଅଛି ଏଣେ ଯମ ।

[୧୭ । ୭ । ୧୫ ‘ସମ୍ବଲପୁର ହିତୈଷିଣୀ]

•••

 

ଉଦ୍‌ବୋଧନ

ନବ ବର୍ଷେ ଆଜି ନବୀନ ପ୍ରଭାତେ

ନବ ଭାଗ୍ୟ-ରବି ନବ ତେଜେ ଭାତେ।

ନବ ସମ୍ରାଟ୍‌ଙ୍କ ନବୀନ ରଟନ

କରିଅଛି ନବ ପ୍ରଦେଶ ଗଠନ ।

ଉତ୍କଳ ଜୀବନେ ପଶି ନବ ବଳ

ନବ ଆଶା-ପଥକରୁଛି ଉଜ୍ଜ୍ୱଳ ।

ବାରିଷ୍ଟର ପଦେ ଉତ୍କଳ-ନନ୍ଦନ

ଫେରି ମାତୃପଦେ କରିଛି ବନ୍ଦନ ।

ଚୌଦିଗେ ଶୁଭୁଛି ଉଠ ଜାଗ ଜାଗ,

ଅଣ୍ଟାଭିଡ଼ି ନିଜ କର୍ମେ ଲାଗ ଲାଗ ।

କର୍ମ-ବାଷ୍ପରଥ ଧାଇଁ ଶଙ୍ଖସ୍ୱନେ

ଆସି ଏବେ ଲାଗିଗଲାଣି ଷ୍ଟେସନେ ।

ଚଢ଼ିବା ସମୟ ହେଲାଣି ନିକଟ,

ଶୋଇପଡ଼ିଅଛ ନ କିଣି ଟିକଟ ?

ଦେଖୁଛ ସମ୍ମୁଖେ କେମନ୍ତ ଉଦ୍‌ବେଗ

ଚଢ଼ି ଯାଉଛନ୍ତି ଯାତ୍ରିଗଣ ବେଗେ ।

ଚାହୁଁଥିବ ଯେବେ ଦୃଶ୍ୟେ ହୋଇ କାବା,

ବୃକ୍ଷତଳେ ଭୋକେ ମରୁଥିବ ବାବା !

ଯହିଁ ପାଇଁ ଏତେ ଦୂରକୁ ଆସିଛ,

ପଛେ ପଡ଼ିଗଲେ ସବୁ ହେବ ମିଛ ।

ନବ ରବିକରେ ଫୁଟଇ କମଳ,

ଉତ୍‌ଫୁଲ୍ଲେ ଉଠନ୍ତି ବିହଙ୍ଗମଦଳ ।

ଆହାର ବିହାର ପାଇଁ ତେଜି ପୁର

ଉଡ଼ିଯାଇଥାନ୍ତି କେତେ କେତେ ଦୂର ।

ମହୁମାଛି ମଧୁ ସଞ୍ଚୟ ଲାଳସେ

ବହୁ ଦୂର ବନ-ପର୍ବତେ ବିଳସେ ।

ବଳ ଥାଉଁ କେହି ନିଶ୍ଚୟ ମଉନ

ଥାଇ ନ କରନ୍ତି ଜୀବନ ନିଉନ ।

ସୁପ୍ତ ସିଂହ ମୁଖେ ନ ପଶେ ଆହାର,

ଶ୍ରମେ ପିପୀଲିକା ପୂରାଏ ଭଣ୍ଡାର ।

ମେଲିଥିଲେ ପାଟି ଶୋଇ ବୃକ୍ଷତଳେ

ବୃକ୍ଷଚ୍ୟୁତ ଫଳ ନ ମଡ଼େ କବଳେ ।

ଗଜ ସିଂହ ବ୍ୟାଘ୍ର ଦେହେ ଅଛି ବଳ,

ତାଙ୍କୁ ବାନ୍ଧେ ନର ପ୍ରକାଶି କୌଶଳ ।

କୌଶଳଜନକ ଜ୍ଞାନ ଅଟେ ସିନା,

ଜନମି ନ ପାରେ ଜ୍ଞାନ ଭାଷା ବିନା ।

ଭାଷାଯୋଗୁଁ ସିନା ଦମି ଜୀବଗଣ

ମାନବ କରଇ ବିଶ୍ୱେ ରାଜପଣ ।

ଯା’ ଭାଷା ଦୁର୍ବଳା ସେ ନିଶ୍ଚେ ଅଧମ,

କାହିଁ ହେବ ଆନେ ପ୍ରତିଯୋଗେ କ୍ଷମ ?

ଉଚ୍ଚଭାଷୀ ଲୋକେ ତାକୁ ନୀଚ ଗଣି

ଉଚ୍ଚ ସମାଜରେ ହୁଅନ୍ତି ଅଗ୍ରଣୀ ।

ଯେ ନର ନ ବୁଝେ ମାନ-ଅପମାନ,

ନୁହଇ କି ସେହୁ ପଶୁର ସମାନ ?

ଯା’ ଭାଷା ଦୁର୍ବଳା କାହିଁ ତାର ଜ୍ଞାନ ?

କାହିଁ ତାର ରାଜଦୁଆରେ ସମ୍ମାନେ ?

ଉଚ୍ଚ ହେବାପାଇଁ କର ଯେବେ ଆଶା,

ଉଚ୍ଚ କର ଆଗେ ନିଜ ମାତୃଭଷା ।

ନାହିଁ ଯେବେ ହୃଦେ ଉଚ୍ଚ ଅଭିଳାଷ,

କର ଆମୋଦର ପଲଙ୍କେ ବିଳାସ ।

ପ୍ରତିବେଶିଙ୍କର ଚରଣ ପ୍ରହାର-

ଚିହ୍ନଶ୍ରେଣୀ କର ବକ୍ଷଦେଶେ ହାର ।

ଉଚ୍ଚ ପଦ ପାଇଁ ଡାକିଲେ ରାଜନ,

କେତେ ଜଣ ଅଛ ତହିଁକି ଭାଜନ ?

ପ୍ରତିବେଶିଙ୍କର ସହିତ ତୁଳନା

କରି କର ନିଜ ମଧ୍ୟରେ କଳନା ।

ତହିଁରୁ ବୁଝିବ ନିଜେ କେଡ଼େ ଦୀନ

କରିଅଛ ପୁଣି ମାତୃଭାଷା ହୀନ।

ମାତୃଭାଷା ପୋଥି ଛୁଇଁବାକୁ କରେ

ଅନ୍ୟ କେଉଁ ଜାତି ଲଜ୍ଜାବୋଧ କରେ ?

ଉଠ ଭାଇ, ଉଠ, ନବୀନ ଆଲୋକେ,

ଶୋଇଥିଲେ ଚାହିଁ ହସୁଥିବେ ଲୋକେ ।

ଶୁଭ କର୍ମପଥେ ହୁଅ ଅଗ୍ରସର,

ଚକ୍ଷୁ ମଳିବାକୁ ନାହିଁ ଅବସର ।

ମାତୃଭୂମି ମାତୃବାଷାର ବଦନ

ଦୀପ୍ତ କର ଦେଇ ଧନ ଧ୍ୟାନ ମନ ।

ଶୁଭ ପଥେ ବିଭୁ କରିବେ ମଙ୍ଗଳ,

ଶୁଭ କର୍ମେ ହେବ ଜୀବନ ସଫଳ ।

[୧୯୧୮ ଜୁନ୍, ଉତ୍କଳ ସାହିତ୍ୟ]

•••

 

ହିତୈଷିଣୀ

ଶରତ ସମୟେ ସରେ ସାରସ କାନନ

ଚାହୁଁଥିଲା ଟେକି ନବ ପ୍ରଫୁଲ୍ଲ ଆନନ ।

ଆହ୍ଳାଦିତ ହେଉଥିଲେ କୁମୁଦ କହ୍ଳାର,

ଅଳିକୁଳ ତୋଳୁଥିଲେ ମଧୁର ମହ୍ଳାର ।

ରାଜହଂସକୁଳ ତହିଁ ହୋଇ ନବାଗତ

ପ୍ରୀତ ହେଉଥିଲେ ଲଭି ସାରସ ସ୍ୱାଗତ ।

ଅରୁଣ ବରଣ ଭାଇ କାରଣ୍ଡବଗଣ

ତରୁଣ ବୟସେ କରୁଥିଲେ ବିଚରଣ ।

ଜ୍ୟୋତିଷ୍କମଣ୍ଡଳ ପ୍ରଭା କରି ଷୋଳପଣ

ହର୍ଷେ ଦେଖୁଥିଲେ ସ୍ୱଚ୍ଛ ସରସୀ ଦର୍ପଣ ।

ବିଗତ ବରଷାକାଳ କୀର୍ତ୍ତିଧ୍ୱଜ ପରି,

ଖଣ୍ଡ ଖଣ୍ଡ ଅଭ୍ର ଥିଲେ ଶୁଭ୍ର କାନ୍ତି ଧରି ।

ଶାରଦୀୟ ସ୍ୱର୍ଣ୍ଣବର୍ଣ୍ଣ ପକ୍ୱ ଧାନ୍ୟ ବହି

ଅନ୍ନପୂର୍ଣ୍ଣାରୂପେ ଶୋଭା ପାଉଥିଲା ମହୀ ।

‘ବୁଧହଂସ କେଳିସର’ ଦେବଦୁର୍ଗ ଧାମେ

ଜନମିଲା ସୁପତ୍ରିକା ‘ହିତୈଷିଣୀ’ ନାମେ ।

ଶାପଭ୍ରଷ୍ଟ ଦେବ ଥିଲେ ନରେନ୍ଦ୍ର ସୁଢ଼ଳ,

କୀରତି-ଉଦ୍ୟାନେ ତାଙ୍କ ଅନେକ ସୁଫଳ ।

ତାଙ୍କ ସେ ଉଦ୍ୟାନେ ପାଇ ସମାଦରେ ସ୍ଥାନ

ବଢ଼ିଗଲା ପତ୍ରିକାର ଅତୁଳ ସମ୍ମାନ ।

ନୀଳମଣି ବିଦ୍ୟାରତ୍ନ ବହୁଗୁଣାଧାର

ନରେନ୍ଦ୍ର ଆଦେଶ ନେଲେ ତା’ ରକ୍ଷଣଭାର ।

ଯନ୍ତ୍ର ନଭେ ଉଠି ପତ୍ର ପୂର୍ଣ୍ଣ ସୁଧାକର

ରମ୍ୟରୂପେ ହେଲା ଲୋକନୟନଗୋଚର ।

ଚଉଦିଗେ କଲା ଜ୍ଞାନଚନ୍ଦ୍ରିକା ପ୍ରକାଶ,

ଅଜ୍ଞାନ-ତିମିର ଦୂର ହେଲା ଲଭି ତ୍ରାସ ।

ବୁଧ-ହୃଦ-ଜୀବଞ୍ଜୀବ ସେ ଚନ୍ଦ୍ରିକା ପାନ

କରି ସମୁଲ୍ଲାସେ କଲା ମଧୁମୟ ଗାନ ।

ନିର୍ମଳ ହୃଦୟ ସରେ ଭାଷା-କୁମୁଦିନୀ,

ବିକସିତ ହୋଇ ହେଲା ଚିତ୍ତବିନୋଦିନୀ ।

ଫୁଟିଲା ପ୍ରବନ୍ଧ-ଫୁଲ, ଛୁଟିଲା ସୁବାସ

ଲାଗିଲା ପାଠକ-ମଧୁଲିଟଙ୍କ ବିଳାସ ।

ଉଠିଲା କବିତା-ସିନ୍ଧୁ-ତରଙ୍ଗପଟଳ,

ପ୍ରତିଭା ଓଷଧି କଲା ପ୍ରତିଭା ପ୍ରବଳ ।

ସମାଜ-କାନନେ ପଶି ସେ ଚନ୍ଦ୍ରକିରଣ

କୁରୀତି-ତିମିର କଲା ଯତନେ ହରଣ ।

ବିଧବାର ଦୁଃଖ-ତମେ ଯେ କନ୍ଦର ପୂର୍ଣ୍ଣ,

ନ ଡରିଲା ତହିଁ ପଶି ହେବାପାଇଁ ଚୂର୍ଣ୍ଣ ।

ବିଧବାର ଏକାଦଶୀ କଷ୍ଟ ଅନୁଭବି

ପଶିଗଲା ରଶ୍ମିଜାଳ ହିମରୂପେ ସ୍ରବି।

ଶୈଶବ ବିବାହ ପଥେ ଯେ ଭୀଷଣ ଗ୍ରାମ,

ଜଣାଗଲା ତହିଁ ଗୋଟି ଗୋଟିକର ନାମ ।

ଉତ୍କଳରେ ହେଲା ନବ ଯୁଗର ଆରମ୍ଭ,

ଦିଗେ ଦିଗେ ବ୍ୟାପିଗଲା ସାହିତ୍ୟ-ସୌରଭ ।

ଦ୍ରବିଲା ପାର୍ବତୀ କାବ୍ୟ ଚନ୍ଦ୍ରକାନ୍ତ ମଣି,

ଦୀପ୍ତ ହେଲେ ରାଧାନାଥ ସେ ମଣିର ଖଣି ।

ନବ ରକ୍ତ ସଞ୍ଚରିଲା ଉତ୍କଳ-ଜୀବନେ,

ନବ ବଳ ଉପୁଜିଲା ଉତ୍କଳୀ ଯୌବନେ ।

ସାହିତ୍ୟିକମଣ୍ଡଳୀର ଗୌରବବର୍ଦ୍ଧନ,

ସଙ୍ଗେ ହେଲା ଦାମ୍ଭକଙ୍କ ଗରବ ମର୍ଦ୍ଦନ ।

ଗୋପନରେ କରୁଥିଲେ ପାପିଏ ଯେ ପାପ,

ହସି ଲୋକେ ଦେଲେ ତାଙ୍କ ମନରେ ସନ୍ତାପ ।

ଅବିଚାର ଅତ୍ୟାଚାର ହେଲା ପ୍ରଶମିତ,

ଅଯଥାଡ଼ମ୍ବର ହୋଇଆସିଲା ଦମିତ ।

ଆମୋଦ ପ୍ରମୋଦ ଗଳ୍ପ ଉପନ୍ୟାସ ଛଳେ,

ବିବିଧ ରହସ୍ୟ ହେଲା ପ୍ରକଟ କୌଶଳେ ।

ମନେପଡ଼େ ‘‘ଗଜେନ୍ଦ୍ରଙ୍କ ଗଜିଆବତାର’’,

ରମ୍ଭାପତ୍ର ପାଇଁ ଉପବାସୀ ପରିବାର ।

‘‘କଦଳୀଖିଆର କଥା’’ ନ ହେବ ବିସ୍ମରି,

ଉପମେୟ ପାତ୍ର ତାକୁ ବଳେ ଆଣେ ଧରି ।

ଅକବିର କବିତାଟି ହୃଦେ ଉପଗତ,

ହୋଇ କରିଦିଏ କ୍ଷଣ-କ୍ଷଣକେ ଜାଗ୍ରତ ।

‘ଜେମାଙ୍କ ବିୟୋଗ’ ପଦ୍ୟ ହେଉଛି ସ୍ମରଣ,

ଲେଖିଥିଲେ ଯାହା ଲାଲା ରାମନାରାୟଣ ।

ପ୍ରକାଶିତ ହେଲା ଯେଉଁ ପ୍ରହେଳିକାମାନ,

ଅଦ୍ୟାପି ମାନସେ ପାଉଅଛନ୍ତି ସମ୍ମାନ ।

ହେବାରୁ ସମ୍ବଲପୁର ନେତ୍ର ଉନ୍ମୀଳିତ

କଷ୍ଟକୁ ନ ଗଣି ହେଲା ଉତ୍କଳେ ମିଳିତ ।

ହିନ୍ଦୀର ଗ୍ରାସରୁ ହେଲା କି କଷ୍ଟେ ଉଦ୍ଧାର,

ରାହୁକବଳରୁ ସୁଧାକର ପରକାର ।

ଗୁଣିଗଣ ଥିଲେ ଯାହା ଅପ୍ରକାଶ ଲୋକେ,

ମୁଖ ଚୁହାଁଚୁହିଁ ହେଲେ ନିର୍ମଳ ଆଲୋକେ ।

ଆନନ୍ଦରେ ବସିଥିଲା କବିଙ୍କର ସଭା,

ଦୀପ୍ତ ହେଲା କବିଙ୍କର ଅଳଙ୍କାରପ୍ରଭା ।

ମାଗଣା ଭୂଷଣ ନେଇ କେତେ ସଭାସଦ,

ପାଇଗଲେ ତହିଁ ସଙ୍ଗେ କବିଙ୍କର ପଦ ।

ଲାଗିଲା ମୟୂରଭଞ୍ଜେ ବାଣୀ ଆରାଧନା

ଧୂପଗନ୍ଧେ ମୁଗ୍‌ଧ ହୋଇଗଲେ ଦିଗଙ୍ଗନା ।

ଆରତି ପ୍ରଦୀପେ ଦେବୀ ବଦନମୟୂଖ

ଦୀପ୍ତ କଲା ମହାପାତ୍ର ପୂଜାହାରୀ ମୁଖ ।

ଭକ୍ତ ଦେଖି ପୂଜାହାରୀ ବାଣ୍ଟୁଥିଲେ ଭୋଗ,

ସନ୍ଦେଶ ଉଖୁଡ଼ା ଖଇ ଯହିଁର ଯେ ଯୋଗ୍ୟ ।

‘ଇନ୍ଦ୍ରଧନୁ’, ‘ବିଜୁଳି’ର ହେଲା ବାଦୀପାଲା,

ଚଳିଲା ଦାହିକା ଗୀତି ଚଉପଦୀମାଳା ।

କଟକରେ ବିଶ୍ୱନାଥ ‘ସାହିତ୍ୟ’-ଜାହାଜ

ଚଳାଇଲେ ପାଇ ଧନୀମାନୀଙ୍କ ସାହାଯ୍ୟ ।

‘ହିତୈଷିଣୀ’ ସ୍ୱଚ୍ଛାଲୋକେ ଚୌଦିଗ ଉଜ୍ଜ୍ୱଳ

ହେବାରୁ ଏ ଶୁଭଯୋଗ ଲଭିଲା ଉତ୍କଳ ।

ଧନ୍ୟ ଧନ୍ୟ ବାସୁଦେବ ମହୀପାଳମଣି,

ଧନ୍ୟ ଧନ୍ୟ କ୍ଷଣଜନ୍ମା ବୁଧ ନୀଳମଣି ।

ଉତ୍କଳରେ କରି ଶୁଭ ଯଜ୍ଞର ଆରମ୍ଭ,

ସ୍ଥାପିଦେଲ କାଳଦର୍ପ ଧ୍ୱଂସୀ ଯୂପସ୍ତମ୍ଭ ।

ରାଧାନାଥ ସରସ୍ୱତୀ ମୂର୍ତ୍ତି ନବ ଯନ୍ତ୍ରେ

ଗଢ଼ିଗଲେ, ଜୀବନ୍ୟାସ କରିଦେଲ ମନ୍ତ୍ରେ ।

ଯାବତ ଉତ୍କଳେ ଥିବ ବାଣୀନିକେତନ,

ତାବତ ଉଡ଼ିବ ତୁମ୍ଭ କୀରତି-କେତନ ।

ଯେତେ ନେତ୍ରେ ଦେଇଅଛ ସୁଜ୍ଞାନ-ଅଞ୍ଜନ,

ନିଶ୍ଚେ ହୋଇଥିବ ତାଙ୍କ ହୃଦୟରଞ୍ଜନ ।

ବୋଲନ୍ତୁ ପଛକେ ଲୋକେ ତୋତେ କିଏ ଗଣେ

ସଦା ବୋଲୁଥିବି ମୁହିଁ ତହିଁ ମଧ୍ୟେ ଜଣେ ।

କରିଅଛ ମୋର ଯେତେ ଯେତେ ଉପକାର,

ମୋ’ ହୃଦେ ରହିଛି ସବୁ ସ୍ୱର୍ଣ୍ଣମୟ ଗାର ।

ତୁମ୍ଭ କୀରତିର ଚାରୁ ପତାକା ସୀବନେ

ସୂତ୍ର ହେଲେ ଧନ୍ୟ ହେବି ମୁଁ ଦୀନ ଜୀବନେ ।

[୨.୧୧.୧୯୧୨, ସମ୍ବଲପୁର ହିତୈଷିଣୀ]

•••

 

ପଞ୍ଚାୟତ

ପଞ୍ଚଭୂତ ଯୋଗେ ବିଧି ଗଢ଼ି ଅପଘନ

ପ୍ରାଣ ଆଦି ପଞ୍ଚବାୟୁ (୧) କଲା ସଂସ୍ଥାପନ ।

ପଞ୍ଚକୋଷେ (୨) କରେ ସିନା ପରମାତ୍ମା ବାସ

ପଞ୍ଚକୋଳେ ପଞ୍ଚମୂଳେ ଆମୟ ବିନାଶ ।

ପଞ୍ଚଗଙ୍ଗା (୩) ସ୍ନାନେ ତାପ ନ ରହେ କିଞ୍ଚିତ,

ପଞ୍ଚଗବ୍ୟେ ହୋଇଥାଏ ପାପ ପ୍ରାୟଶ୍ଚିତ୍ତ ।

ପଞ୍ଚଶରେ ପଞ୍ଚଶର କରେ ବିଶ୍ୱ ଜୟ,

ପଞ୍ଚମୁଖ ସିଂହ ବନେ ଭ୍ରମଇ ନିର୍ଭୟ ।

ହସ୍ତ କରେ କାର୍ଯ୍ୟ ପଞ୍ଚ ଅଙ୍ଗୁଳିର ବଳେ,

ପଞ୍ଚ ପଞ୍ଚ ଇନ୍ଦ୍ରିୟରେ ଜ୍ଞାନକର୍ମ ଚଳେ ।

ସେହିରୂପେ ପଞ୍ଚାୟତ ସମାଜ-ଜୀବନେ

ଅଶେଷ କଲ୍ୟାଣକର ଅଟଇ ଭୁବନେ ।

ପୂର୍ବକାଳେ ପଞ୍ଚାୟତେ ଥା’ନ୍ତି ସଭାସଦ,

ଧର୍ମକୁ ଯେ ମଣୁଥିଲେ ଅମୂଲ୍ୟ ସମ୍ପଦ ।

ପକ୍ଷପାତ ମଣି ପାପ ମହାଭୟଙ୍କର

ସମ ଜ୍ଞାନ କରୁଥିଲେ ମନେ ନିଜ ପର ।

ଶାସ୍ତ୍ରମତେ ଥିଲେ ଯେଣୁ ନ୍ୟାୟପରାୟଣ

ଅଦ୍ୟାପି ବୋଲନ୍ତି ଲୋକେ ‘ପଞ୍ଚନାରାୟଣ’ ।

ପରକାଳେ ଥିଲା ତାଙ୍କ ଅଟଳ ବିଶ୍ୱାସ,

ଜାଣୁଥିଲେ ପାପ କରେ ବଂଶର ବିନାଶ ।

ଆଜି ସେହି ପଞ୍ଚାୟତ ପାଇଛି ପଞ୍ଚତ୍ୱ

ପ୍ରେତ ଆତ୍ମା ତାର ଛାଡ଼ି ନାହିଁ ଏ ଜଗତ ।

ଦେଖ ପ୍ରତି ଗ୍ରାମେ ହେଲେ ବାଦ-ପ୍ରତିବାଦ

ପଞ୍ଚ ପ୍ରତି ଦେଇଥାନ୍ତି ତହିଁର ସମ୍ବାଦ ।

ଯେଉଁ ଗ୍ରାମେ ଥା’ନ୍ତି ସାଧୁ ସଚ୍ଚରିତ୍ର ଜନ,

କରିଦେଇଥାନ୍ତି ସେହିବିବାଦ ଭଞ୍ଜନ ।

ଅନେକ ଗ୍ରାମରେ’ ଛନ୍ତି ଜଘନ୍ୟ ଦୁର୍ଜନ,

ଶାନ୍ତି ସ୍ଥଳେ କରିଥାନ୍ତି କଳହ ସୃଜନ ।

କ୍ରୋଧେ ଅନ୍ଧ ହୋଇ ଲୋକେ ନପାରନ୍ତି ଜାଣି

କରୁଥାନ୍ତି ବିବାଦରେ ପଡ଼ି ଅର୍ଥହାନି ।

ଦୁଷ୍ଟଙ୍କ ଜୀବନ ଥାଏ ପାପଧନେ ବିକା,

କଳି ଲଗାଇବା ତାଙ୍କ ଜୀବନ-ଜୀବିକା ।

ବାଦୀ ପ୍ରତିବାଦୀ କେହି ଗଲେ ତାଙ୍କ ପାଶ,

କୌଶଳେ ସଜାଇଥାନ୍ତି ଅର୍ଥଟଣା ଫାଶ ।

ଆପଣାକୁ କରିଥାନ୍ତି ମୃଗେନ୍ଦ୍ର ବିଚାର,

ମଣିଥାନ୍ତି ଗ୍ରାମ ଲୋକେ ତାହାଙ୍କ ଶିକାର ।

କାହିଁ କାହିଁ ଛନ୍ତି ଦୁଷ୍ଟ ଗ୍ରାମ-ଅଧିପତି,

ଭ୍ରୂକ୍ଷେପ କରନ୍ତି ନାହିଁ ଗ୍ରାମ-ପଞ୍ଚ-ପ୍ରତି ।

ଧମକଚମକେ ପଡ଼ି ଗ୍ରାମ ପଞ୍ଚଜନ

କରି ଦେଇଥାନ୍ତି ତାଙ୍କ ଧନ ଅରଜନ ।

ପାଇଥାନ୍ତି କିଛି କିଛି ପାପ ପୁରସ୍କାର,

ମଣିଥାନ୍ତି କୁମର୍ମହିଁ ସୁପୁରୁଷକାର ।

ହୃଦୟରେ ଥାଏ ତାଙ୍କ ଅଟଳ ବିଶ୍ୱାସ

ଗ୍ରାମପତି କରିଦେଇପାରେ ସର୍ବନାଶ ।

ନୁହଇ ତାଙ୍କର ସେହି ବିଶ୍ୱାସଟି ଭ୍ରାନ୍ତ,

ଦେଖିଛନ୍ତି ଶତ ଶତ ତହିଁର ଦୃଷ୍ଟାନ୍ତ ।

ରହି ନ ପାରଇ ତହିଁ କେବେ ରାଜବିଧି,

ଗ୍ରାମପତି ଯହିଁ ଗ୍ରାମବାସୀଙ୍କର ବିଧି ।

ଯେତେବେଳେ ଜଳ ବିନା ମରୁଥାଏ ଧାନ,

ଗ୍ରାମପତି ଗ୍ରାସିଦିଏ ଆଇନ ବିଧାନ ।

କେତେଠାରେ ପଞ୍ଚମାନେ ହୁଅନ୍ତି ତା’ ସାହା,

ସର୍ବଗ୍ରାସୀ ଅନଳକୁ ଯେଉଁରୂପେ ସ୍ୱାହା ।

ସର୍ବ ଅଗ୍ରେ ଯିବେ ଗ୍ରାମ ପତିକ୍ଷେତ୍ରେ ଜଳ,

ତା’ ପଛକୁ ଯା’ର ଯେତେ ଥିବ ଅର୍ଥବଳ ।

ଜଳ ପାଇଁ ପ୍ରଜା ସଦା ଦିଏ ରାଜ-କର,

ଜଳ ପାଇବାର କିନ୍ତୁ ହୁଏ କଷ୍ଟକର ।

ଏକେ ତ ଆଶ୍ୱିନ ମାସ ଅନ୍ନ ଥିବ ସରି,

ଉପବାସେ ଥିବ ପୂଜା ଜୀବନ୍ମୁ ତ ସରି ।

ହେଉଥିବ ଅର୍ଥ ବିନା ବୁଦ୍ଧି ତାର ବଣା,

ଅର୍ଜୀ ପାଇଁ ଆବଶ୍ୟକ ହେବ ବାର ଅଣା ।

ଏଣେ ଆସୁଁ ଆସୁଁ ରାଜଦ୍ୱାରରୁ ଆଦେଶ,

ଜଳାଶୟ ଜଳରାଶି ହୋଇଥିବ ଶେଷ ।

କିମ୍ବା ଗ୍ରାମପତି ରଚି ବିବିଧ କୌଶଳ

ଛଳେ କରିଦେବ ରାଜ-ଆଦେଶ ବିଫଳ ।

ଜଳ ପାଇଁ ସ୍ଥଳେ ସ୍ଥଳେ ହୋଇ କଳି ଜାତ

ନିରୀହ ପରଜା-ଶିରୁକରେ ରକ୍ତପାତ ।

ଅନାହାରୀ ସଭ୍ୟମାନେଏଣେ ଛନ୍ତି ବସି,

ଫଳ ହାର ଲୋଭେ ଯା’ର ଚିର ଏକାଦଶୀ ।

କଳି-ଦେବ ବହି ପ୍ରଜା ଦ୍ରବ୍ୟ ଭାର ଭାର,

ଯୋଗାଡ଼ କରନ୍ତି ଲେହ୍ୟ ପେୟ ଫଳାହାର ।

ଅନାହାରୁ ଫଳାହାର ଅବା ଜଳଯୋଗ

ମୂଲ୍ୟରେ ଅଧିକ ହୁଏ ସେ ଏକ ସୁଯୋଗ ।

ରୁଚିକର ଫଳାହାର କାହାର କୁକୁଡ଼ା,

କାହାର ବା ସରୁ ଚୁଡ଼ା, କା’ ଶାଲ ଉଖୁଡ଼ା ।

ଅଣ୍ଟାଖୋସାରୂପେ ଯାହା ଆଣ୍ଟ ହୋଇ ଆସେ,

ମନୋମତ ଫଳାହାର ଚଳେ ତହିଁ ମାସେ ।

ସାଧୁତା ବ୍ୟାଜରେ ନାନା ଅପକର୍ମ କରି,

ଧନ ଦ୍ରବ୍ୟେ ଦେଇଥାନ୍ତି ନିଜ ଗୃହ ଭରି ।

ବିରାଡ଼ି କରଇ ଦୁଗ୍‌ଧପାନ ଚକ୍ଷୁ ବୁଜି,

ସମସ୍ତେ ଯେ ଦେଖୁଥାନ୍ତି ନପାରେ ତା’ ବୁଝି ।

ଅନାହାରୀ ହୁଏ ଲୋକ ଥିଲେ ଭାଗ୍ୟବଳ,

ଇହକାଳେ ମିଳିଯାଏ ସଦ୍ୟ ପୁଣ୍ୟଫଳ ।

ଧନ୍ୟ କଳି, ଭୀତ ନୋହୁ ଇଂରେଜ-ଶାସନେ,

ଦେଖୁଅଛୁ ବସିଛି ଯେ ଧର୍ମର ଆସନେ,

ହୃଦେ ତାର ଢାଳି ଢାଳି ନାରକୀୟ ବୁଦ୍ଧି,

ବେଳୁଁ ବେଳ କରୁଅଛ ପାପଭାର ବୃଦ୍ଧି ।

କାହିଁ ବା ଖାତକ ନେଇ ସାହୁଠାରୁ ଟଙ୍କା

ପରିଶୋଧ କଲାବେଳେ ମୁହଁ କରେ ବଙ୍କା ।

କେତେ ବା ବିନୟ କରି ଋଣ ଥାଏ ନେଇ

ଉଗ୍ରମୂର୍ତ୍ତି ଧରେ ପୁଣି ନ ପାରିଲେ ଦେଇ ।

କେହି ବା ନ ଦେଇ ଋଣ ହୋଇ ସାହୁକାର

ନିରୀହ ଲୋକଙ୍କୁ କରିଦିଏ ଛାରଖାର ।

ଅଳ୍ପ ଅଳ୍ପ ଶିକ୍ଷା ଲଭି କେତେ କ୍ରୂର ଜନ

ମିଥ୍ୟା-ଜାଲେ କରୁଛନ୍ତି ଅର୍ଥ ଅରଜନ ।

ମିଥ୍ୟା-ଅସ୍ତ୍ର ତୀକ୍ଷ୍‌ଣ କରି ଅଦାଲତ-ଶାଣେ

ମାରୁଛନ୍ତି ଅଶିକ୍ଷିତ ପରଜାଙ୍କ ପ୍ରାଣେ ।

ଶାଣକାର ପରି ତହିଁ ଓକିଲମଣ୍ଡଳ

ଟଙ୍କାମୁଣି ଭରୁଛନ୍ତି ବସି ଦଳ ଦଳ ।

ତାଙ୍କଠାକୁ ଯାଉ ବାଦୀ ଅବା ପ୍ରତିବାଦୀ,

ସମସ୍ୱରେ ହେଉଛନ୍ତି ତାର ଜୟନାଦୀ ।

ଶିକ୍ଷାଫଳ ହେଉଅଛି ମିଥ୍ୟାପ୍ରସାରଣ,

ସତ୍ୟ ମୁଖେ ପ୍ରହାରଣ, ସାଧୁ ପ୍ରତାରଣ ।

ସମସ୍ତେ ଜଗତେ କିନ୍ତୁ ନୁହନ୍ତି ସମାନ,

ଅଛନ୍ତି ଧାର୍ମିକ ପୁଣି ଛନ୍ତି ଜ୍ଞାନବାନ ।

ସେହିମାନେ କରିଥାନ୍ତି ଉତ୍ତମ ବିଚାର,

ପ୍ରକୃତ ସେ ଜଣେ ଜଣେ ଧର୍ମ-ଅବତାର ।

ସେମାନେ ହୁଅନ୍ତି ଯଦି ଗ୍ରାମେ ଗ୍ରାମେ ପଞ୍ଚ,

ହୋଇ ନ ପାରଇ କେବେ ବିଚାର ପ୍ରପଞ୍ଚ ।

ଗ୍ରାମପଞ୍ଚ ଜାଣିଥାନ୍ତି ଗ୍ରାମର ଘଟଣା,

ବଳିଷ୍ଠ ନ ହୁଏ ତହିଁ କପଟ ରଚନା ।

ଚିହ୍ନିଥାନ୍ତି ମିଥ୍ୟାବାଦୀ ଦୁଷ୍ଟ ଦୁରାଚାରୀ,

କେ ସରଳପ୍ରାଣ କେବା ବାହ୍ୟ ଭେକଧାରୀ ।

ଯାହା ହୋଇଥାଏ ଗ୍ରାମ ଲୋକଙ୍କୁ ଅଜଣା,

ସେହି କଥା ଜାଣିଥାନ୍ତି ଗୃହର ଅଙ୍ଗନା

ବହୁ କଥା ଜାଣିଥାନ୍ତି ଗ୍ରାମ ଶିଶୁଗଣ,

ତାଙ୍କ ନେତ୍ରେ ପଡ଼ିଥାଏ ପାପ ଆଚରଣ ।

ଜନକ ଜନନୀ ପାଶେ ତେଜି ଲାଜ ଭୟ,

କହିଥାନ୍ତି ସବୁ କଥା ସେମାନେ ନିଶ୍ଚୟ ।

ଯେଉଁ କଥା ଥାଏ ଯେତେ ଲୁଚାଇବା ଭଳି,

ଘାଟେ ପ୍ରକାଶିତ ହୁଏ ତାହା ତହୁଁ ବଳି ।

ଗ୍ରାମପଞ୍ଚ ପାଇଥାନ୍ତି ସକଳ ସନ୍ଧାନ,

କରନ୍ତି ଅବସ୍ଥା ଦେଖି ବ୍ୟବସ୍ଥା ପ୍ରଦାନ ।

ବାଛି ବାଛି ସୁଧାର୍ମିକ ପାପଭୀରୁ ଜନ

ହେବ ଯଦି ପଞ୍ଚାୟତ ଗଠନ ସୃଜନ,

ଶିକ୍ଷା ଦିଆଯାଉଥିବ ବିଚାର ବିଧାନ,

କରାଯାଉଥିବ ବାରବାର ସାବଧାନ ।

ପଞ୍ଚହସ୍ତେ ନ୍ୟସ୍ତ ହେଲେ ଲଘୁ ଅଧିକାର,

ଅବଶ୍ୟ ଦୋର ହେବ ବହୁ ଉପକାର ।

ବହୁ ଅର୍ଥ ପ୍ରଜାଙ୍କର ଗୃହେ ଯିବ ରହି,

ନ ପାରିବ ଜାଲିଆଙ୍କ କୋପାନଳ ଦହି ।

ଗ୍ରାମେ ଗ୍ରାମେ ହୋଇ ସତ୍ୟଯୁଗ ଆବିର୍ଭାବ,

ନଗରେ ପ୍ରବିଷ୍ଟ ହେବ ତାହାର ପ୍ରଭାବ ।

ନଗରେ ନଗରେ ଛନ୍ତି ଶିକ୍ଷିତ ସୁଜନ,

ସେ କରିପାରନ୍ତି ସତ୍ୟଯୁଗର ସୃଜନ ।

କରିବାକୁ ପରଜାଙ୍କୁ କଳି-ସିନ୍ଧୁପାର,

ଋଷିକଳ୍ପ ସେହିମାନେ ଯୋଗ୍ୟ କର୍ଣ୍ଣଧାର ।

ନ ବାଞ୍ଛନ୍ତି ପଦ ସେହୁ ନ ଇଚ୍ଛନ୍ତି ଧନ,

ତାଙ୍କ ଧନେ ରହୁଅଛି ଲୋକଙ୍କ ଜୀବନ ।

ହେଉଛନ୍ତି ବିଧି-ଦତ୍ତ ଧନେ ଭାସମାନ,

ପରଧନ ମଣିଛନ୍ତି ଗରଳ ସମାନ ।

ପଞ୍ଚାୟତ ନେତା ଯଦି ହୁଅନ୍ତି ସେମାନେ,

ଅବଶ୍ୟ ଚଳିବ ଲୋକ ସତ୍ୟର-ବିଧାନେ ।

ବାଛି ବାଛିଲୋକ ଯଦି କରିବ ସଂଗ୍ରହ,

ଦେଖାଇବ ତାଙ୍କ କଥା ପାଳନେ ଆଗ୍ରହ ।

ଦେଖିବା ‘ଗୋଖେଲ’ କେତେକେତେ ‘ଦାଦାଭାଇ’

ସସହଜେ ପାରନ୍ତି ଯେହୁ ଭାରତ ଚଳାଇ ।

କେତେ ଗାନ୍ଧି ଉପଗତ ହେବେ ତୁମ୍ଭ ଆଗେ,

ସ୍ନିଗ୍‌ଧ କରିଦେବେ ମହୀ ସ୍ୱଚ୍ଛ ଅନୁରାଗେ ।

ଲେଉଟି ଆସିବ ବେଗେ ପ୍ରାଚୀନ ଭାରତ,

ହେବ ଶ୍ୱେତ-କେଶରୀଙ୍କ ଯଶସେନା ରତ ।

ନ ଲୋଡ଼ିବେ ଲୋକେ ବିଦ୍ୟା ନିମନ୍ତେ ବେତନ,

ଉଡ଼ିବ ଆକାଶଶୀର୍ଷେ ଧବଳ କେତନ ।

ବିଦ୍ୟାମୃତ ପାନେ ଯା’ର ପୂରିଛି ଉଦର,

ଅବିଦ୍ୟା-ଜନକ ଧନେ ତାର କି ଆଦର ।

ଧନଜ-ଉନ୍ନତି ବିଶ୍ୱେ ନୁହେ ଚିରସ୍ଥାୟୀ,

ସ୍ଥାୟୀ ସେ ଉନ୍ନତି ଯାହା ଧର୍ମ ଅନୁଯାୟୀ ।

ଧନର ଉନ୍ନତି ଯେଉଁ କାଳ ଧ୍ୱଂସ କରେ,

ଧରମ ଉନ୍ନତି ଚାହିଁ ରହେ ଯୁକ୍ତକରେ ।

ଯେଉଁ ରାଜ୍ୟେ ଧରମର ପ୍ରଭା ହୁଏ ନାଶ,

ପାପ-ଅନ୍ଧକାର ତାକୁ କରିଦିଏ ଗ୍ରାସ ।

ଲକ୍ଷ ଲକ୍ଷ ଦୀପ କୋଟି ବିଦ୍ୟୁତ ଆଲୋକ

ଗ୍ରାସିଦିଏ ଅମାବାସ୍ୟା-ତମ-ମଗ୍ନ ଲୋକ ।

ଯହିଁ ଧର୍ମ ତହୁଁ କରେ ଲୋଭ ପଳାୟନ,

ଲୋଭ ନାଶେ ସୁନିପୁଣ ଧର୍ମପରାୟଣ ।

ଧାର୍ମିକ ସୁଜନ ଦେଖି କଲେ ପଞ୍ଚାୟତ,

ନିଶ୍ଚୟ ସମାଜ ହେବ ଧର୍ମର ଆୟତ୍ତ ।

ଲୋଭର ଜନକ ଧନ, ଧନକୁ ଯେ ଛାର

ମଣନ୍ତି, ସେ କରିଥାନ୍ତି ନିର୍ମଳ ବିଚାର ।

ଧରମର ଆଧିପତ୍ୟ ରହିଲେ ସମାଜେ,

ସମୃଦ୍ଧି-ଉନ୍ମୁଖୀ ହେବ ଭାରତ-ସାମ୍ରାଜ୍ୟେ ।

 

୧.

ପଞ୍ଚବାୟୁ- ପ୍ରାଣ, ଅପାନ, ସମାନ, ଉଦାନ, ବ୍ୟାନ ।

୨.

ପଞ୍ଚକୋଷ-ଅନ୍ନମୟ କୋଷ, ପ୍ରାଣମୟ କୋଷ, ବିଜ୍ଞାନ କୋଷ, ଆନନ୍ଦ କୋଷ, ମନୋମୟ କୋଷ ।

୩.

ପଞ୍ଚଗଙ୍ଗା- ଭାଗୀରଥୀ, ଗୋମତୀ, କୃଷ୍ଣବେଣୀ, ଅଖଣ୍ଡା, କାବେରୀ ।

•••

 

ବିଦୁର ପ୍ରଜାଗର

ସୁଶାନ୍ତ ରଜନୀ, ଶାନ୍ତ ଅବନୀମଣ୍ଡଳ,

ନାହିଁ ଆଉ ହସ୍ତିନାରେ ଜନ କୋଳାହଳ ।

ଜ୍ୟୋତିଷ୍କମଣ୍ଡଳ ଥାଇ ଗଗନେ ନିଶ୍ଚଳେ

ଦେଖୁଛନ୍ତି ମୁଖ ଶାନ୍ତ ଯମୁନାର ଜଳେ ।

ଧୀରେ ଧୀରେ ହରି ପୁଷ୍ପରଜ ସମୀରଣ

ଗୁପତେ ଜଗତେ କରୁଅଛି ବିତରଣ ।

ନିଦ୍ରାର କୋମଳ କୋଳେ ପୁରଜନଗଣ

ପଡ଼ି ହୋଇଛନ୍ତି ଶାନ୍ତି-ସାଗରେ ମଗନ ।

କିନ୍ତୁ ରାଜା ଧୃତରାଷ୍ଟ୍ର ତହିଁରୁ ବଞ୍ଚିତ,

ଆଜ ହୋଇଛନ୍ତି ସୁପ୍ତି-ସ୍ନେହରୁ ବର୍ଜିତ ।

ଯୁବରାଜ ସୁଯୋଧନ ବୀର ଧୁରନ୍ଧର,

ଯାହା ପାଇଁ ଭୀଷ୍ମ ସଦା ରଣେ ଅଗ୍ରସର ।

ମହାବୀର ଦ୍ରୋଣ ଯା’ କୁ କରିବାକୁ ତ୍ରାଣ

ଅକୁଣ୍ଠିତ ସଦା ରଣେ ଦେବା ପାଇଁ ପ୍ରାଣ ।

କର୍ଣ୍ଣ ଯା’ର କର୍ଣ୍ଣଧାର ସମର-ସାଗରେ

ଘେନି ରଥ ନାବ ଶକ୍ତି-କ୍ଷେପଣୀ ଆଗରେ ।

ଜଗତ-ପ୍ରଳୟକାରୀ ଶର-ଜାଲ ଧରି

ରହିଛନ୍ତି ଦ୍ରୋଣି ଯା’ର ଆଜ୍ଞା ଅନୁସରି ।

ସେ ପୁତ୍ରର ପିତା ହୃଦେ ପଶିଥିବ ଚିନ୍ତା,

କାହିଁ କହିହେବ ଏହା ଛାଡ଼ି ବିବେକିତା ।

ଅସୀମ କ୍ଷମତା ଯା’ର ଅତୁଳ ବିଭବ,

କି ଦୁଃଖେ ରହିବେ ଏକା ହୋଇ ସେ ନୀରବ ?

ଭାର୍ଯ୍ୟା ତ ନୁହନ୍ତି ତାଙ୍କ ଅପ୍ରିୟଭାଷିଣୀ,

ବୁଦ୍ଧି ତ ନୁହଇ ପର-ପଦାର୍ଥଗ୍ରାସିନୀ ।

ଅନ୍ଧ ବୋଲି କିବା ମନେ ଘୃଣା ଉପୁଜାଇ

ଅଛି ନିଦ୍ରା ରାଜନେତ୍ର ପାଶକୁ ନ ଯାଇ।

କି ଗୂଢ଼ ରହସ୍ୟ ତାହା ବୁଝିବି କେସନେ,

କହ କୃପାବହି ମୋତେ ଶ୍ୱେତପଦ୍ମାସନେ !

ଉପପ୍ଳବ ଗୂଡ଼େ ଆଜ ସଞ୍ଜୟ ସୁମତି

ରାଜାଦେଶେ ଯାଇଥିଲେ ଯୁଧିଷ୍ଠିର କତି;

ଲେଉଟି ସେ କହିଛନ୍ତି ତାଙ୍କ ସମାଚାର,

ପାଣ୍ଡୁସୁତେ ସ୍ଥିର କରିଅଛନ୍ତି ବିଚାର;

ପାଞ୍ଚ ଖଣ୍ଡି ଗ୍ରାମ ଯେବେ ଦେବେ ନରପତି,

ପୁତ୍ରଭାବେ ରହିଥିବେ ସେବି ତାଙ୍କ କତି ।

ତା’ ନ ହେଲେ ରାଜ୍ୟ ପାଇଁ ଦେଖାଇବେ ବଳ,

ତହିଁ ପାଇଁ ଠୁଳ କରି ସାରିଛନ୍ତି ବଳ ।

ଏଣେ ତାଙ୍କ ପ୍ରିୟତମ ସୁତ ସୁଯୋଧନ,

ଭାଗ ଦେବାପାଇଁ ତିଳେ କରୁନାହିଁ ମନ ।

ବଂଶବନେ ଲାଗିଯିବ ପ୍ରଚଣ୍ଡ ଅନଳ,

ଏହା ଭାବି ନରପତି ହୃଦୟ ବିକଳ ।

ଅସ୍ଥିର ହୃଦୟେ ବସି ବସି ନରପତି,

ବିଦୁରଙ୍କ ଉପଦେଶେ ବଳାଇଲେ ମତି ।

ଡକାଇ ସେ ବିଦୁରଙ୍କୁ ବସାଇ ସାଦରେ,

କହିଲେ ସଞ୍ଜୟ କଥା ସବୁ ବିଷାଦରେ ।

ଆହୁରି କହିଲେ, ‘‘ତୁମ୍ଭେ ପଣ୍ଡିତ ବିଦୁର,

ଅଜ୍ଞାନ-ଗିରିକି ତୁମ୍ଭ ବଚନ ଭିଦୁର ।

ଆମ୍ଭ ହିତ କାର୍ଯ୍ୟ ସଦା ଥାଏ ତୁମ୍ଭ ମନ,

ସ୍ୱଭାବତଃ ଅଟ ଯେଣୁ ଆମ୍ଭ ଜ୍ଞାତି ଜନ ।

ଧରମ ଅର୍ଥରେ ପୁଣି ଅଟ ସୁକୁଶଳ,

କହ ଭାଇ, କି ଉପାୟେ ହୋଇବ କୁଶଳ ।’’

ବିଦୁର ବୋଇଲେ, ‘‘ଆହେ ନୃପତିମଣ୍ଡଳ,

ଧରମ ଆଚର ସଦା ଧର୍ମେ ଦେଇ ମନ ।

ଯେ ଭାବେ ଧାର୍ମିକ କରେ ଧର୍ମକୁ ରକ୍ଷଣ,

ଧର୍ମ ତାକୁ ରଖେ ସେହି ଭାବେ ଅନୁକ୍ଷଣ ।

ଧରମ ମଙ୍ଗଳମୟ ଧର୍ମେ ସଦା ଜୟ,

ସବୁକାଳେ ସବୁଠାରେ ଧାର୍ମିକ ନିର୍ଭୟ ।

ଯେ ନରପୁଙ୍ଗବ ଧରେ ଧର୍ମରୂପ-ଅସି,

ସନ୍ତାପ ନିକଟେ ତାର ନ ପାରଇ ପଶି ।

ଧାର୍ମିକ ହୃଦୟ ଥାଏ ସତତ ପ୍ରଫୁଲ୍ଲ,

ବିଭାବସୁ-କର ଯୋଗେ ଯଥା ପଦ୍ମଫୁଲ ।

ବିପଦବାନ୍ଧବ ଧର୍ମ ସମ୍ପଦର ଭାଇ,

ଇହ-ପରକାଳ ସଙ୍ଗୀ ସଦା ଶୁଭଦାୟୀ ।

ଧର୍ମପଥେ ଉଇଁ ରବି ଧର୍ମ ଘେନି ଅସ୍ତ,

ଧର୍ମ ତାଙ୍କୁ ରକ୍ଷାକରେ ହେଲେ ରାହୁଗ୍ରସ୍ତ ।

ଧର୍ମ ଅନୁରୋଧ ସିନା ଚନ୍ଦ୍ର ହୁଏ କ୍ଷୟ,

ସେହି ଧର୍ମବେଳ ପୁଣି ହୁଏ ତେଜୋମୟ ।

ଧର୍ମ ଅନୁସାରେ ଏକା ବୃକ୍ଷ ଦିଏ ଫଳ,

ଧର୍ମରେ ଜଳଦମାଳ ଦେଉଥାନ୍ତି ଜଳ ।

ଏ ସଂସାର ଜଳଧିକି ହେବା ପାଇଁ ପାର

ଧର୍ମ-ସିନ୍ଧୁ-ଯାନ, ତହିଁ ବିଭୁ କର୍ଣ୍ଣଧାର ।

ଚଳାଏ ଜୀବନ ଯେହୁ ଧର୍ମପଥ ହୁଡ଼ି,

ବୁଡ଼ାଏ ସେ ପରିଜନେ ଆପେ ତାପେ ବୁଡ଼ି ।

ଧର୍ମପଥେ ଗତି ଯା’ର ଧର୍ମେ ସ୍ଥିର ମତି,

ଈଶ୍ୱର ଖଣ୍ଡନ୍ତି ତାର ନିଖିଳ ବିପତ୍ତି ।

ନିୟନ୍ତ୍ରିତ ଧର୍ମ-ମହାଯନ୍ତ୍ରେ ଗ୍ରହଗଣ,

ସତତ ଅନନ୍ତ ପଥେ କରନ୍ତି ଭ୍ରମଣ ।’’

ଧୃତରାଷ୍ଟ୍ର ବୋଇଲେ,‘‘ହେ ଧାର୍ମିକପ୍ରବର,

ଧର୍ମର ବ୍ୟବସ୍ଥା କୃପାବହି ଦାନ କର ।’’

ବଦୁର ବୋଇଲେ, ‘‘ଧନ୍ୟ ନୃପତିଶେଖର,

ଲୋଡ଼ିଲା ଯା ଧର୍ମନୀତି ମାନସ ତୁମ୍ଭର ।

ମାନବ-ଜୀବନ-ରାଜ୍ୟେ ମନ ନରପତି,

ନ୍ୟାୟଦେବ ସେ ରାଜ୍ୟର ଉପଯୁକ୍ତ ମନ୍ତ୍ରୀ ।

ବୁଦ୍ଧି, ବିବେଚନା, ଧୃତି ରାଜସଭାସଦ,

ବ୍ୟବସ୍ଥା ଦିଅନ୍ତି ଯହିଁ ନ ହେବ ଆପଦ ।

ଜ୍ଞାନେନ୍ଦ୍ରିୟ ପଞ୍ଚ ତହିଁ ରାଜପରିଜନ,

ପରଜା ଅଟନ୍ତି ମାତ୍ର କର୍ମେନ୍ଦ୍ରିୟଗଣ ।

ରାଜ-ଅଳଙ୍କାର ଦୟା, କ୍ଷମା, ସରଳତା,

ଉଦାରତା, ସୁଶୀଳତା, ବିନୟ, ସତ୍ୟତା ।

କର୍ମ କୃଷିକ୍ଷେତ୍ର ସୁଖଫଳ ପ୍ରଦାୟକ,

କିନ୍ତୁ ତହିଁ ପରିଶ୍ରମ-ବୀଜ ଆବଶ୍ୟକ ।

ଅତି ଦୁଷ୍ଟ ଅହଙ୍କାର ମନର ସୋଦର,

ଆଧିପତ୍ୟ ନେବାପାଇଁ ସତତ ତତ୍ପର ।

କାମ ଆଦି ଷଡ଼ ସୈନ୍ୟ ଘେନି ଅବିରତ

ମହାଘୋର ସଂଗ୍ରାମରେ ହୋଇଥାଏ ରତ ।

କାମ ହସ୍ତେ ଲମ୍ପଟତା, ପାନ-ଦୋଷ ଶର,

କ୍ରୋଧ ଧରେ ନାଗପାଶ ଘୋର ଭୟଙ୍କର ।

ଲୋଭ ମାରେ ମେଘ-ବାଣ ଅତି ଦୁର୍ନିବାର,

କ୍ଷଣକରେ କରିଦିଏ ଚୌଦିଗେ ଅନ୍ଧାର ।

ମୋହହସ୍ତେ ସମ୍ମୋହନ-ଶକ୍ତି ଜକଜକ,

ମଦ ପ୍ରହାରଇ ମହା ଅସ୍ତ୍ର ଉନ୍ମାଦକ ।

ମାତ୍ସର୍ଯ୍ୟ ଛାଡ଼ଇ ସଦା ଅଗ୍ନି ମହାଶର,

ନିଜେ ଜଳି ଜାଳୁଥାଏ ପର କଳେବର ।

ସାଧୁ ସହବାସ-କର୍ମ ଧରେ ଯେବେ ଅଙ୍ଗେ,

ସମରସମର୍ଥ ମନ ହୁଏ ରିପୁ ସଙ୍ଗେ ।

ଜ୍ଞାନ-ମହାଶର ବଳେ ଲଭଇ ବିଜୟ,

ପଦାନତ କରି ରଖେ ବଇରିନିଚୟ ।

ସଦସ୍ୟଗଣର କଥା ହେଉଥାଏ ଧାର୍ଯ୍ୟ,

ମନ୍ତ୍ରୀ ପରାମର୍ଶ ଘେନି ହେଉଥାଏ କାର୍ଯ୍ୟ ।

ଏହାକୁ ମାନବଧର୍ମ ବୋଲି ନରବର,

ଇହ ପର କାଳେ ଏହି ଧର୍ମ ଶ୍ରେୟସ୍କର ।

ଅହଙ୍କାର ହୁଏ ଯେବେ ଜୀବେନ ପ୍ରବଳ,

ସୈନ୍ୟ ତାର ଉପୁଜାନ୍ତି ମହାକୋଳାହଳ ।

ଚଉଦିଗୁଁ ମାଡ଼ିଆସେ ଅଶାନ୍ତି-ତରଙ୍ଗ,

ସହଜରେ ହୁଏ ତହିଁ ଧର୍ମ-ସେତୁ ଭଙ୍ଗ ।

ଆଶୁକ୍ଷୟଶୀଳ ସୁଖ ଧରମହୀନର,

ଧର୍ମହୀନ ନର ସର୍ବ ବିପତ୍ତିର ଘର ।

ଜଗତରେ ଅଛି ଭଲ ମନ୍ଦ ଦୁଇ କଥା,

ବୁଧଗଣ ଭଲ ବାଛି ନିଅନ୍ତି ସର୍ବଥା ।

ଭଲକଥା ହୋଇଥାଏ ଆଗେ ଦୁଃଖପ୍ରଦ,

ପରିଣାମେ ଆଣିଦିଏ ଅକ୍ଷୟ ଆନନ୍ଦ ।

ମନ୍ଦ କଥା ପ୍ରଥମରେ ଦିଶେ ମନୋହର,

ଆଗେ କିଛି ସୁଖ ଦିଏ ପଛେ ଭୟଙ୍କର ।

ତୁମ୍ଭେ ତ ହୋଇଛ ନାନା ମନ୍ଦ କର୍ମେ ପଟୁ,

ଏଣୁ ଭଲ କଥାସବୁ ଲାଗୁଅଛି କଟୁ ।

ଯେଉଁ ରାଜା ଆଳସ୍ୟରେ ଦ୍ରବ୍ୟ କରି ନାଶ,

ପରଦ୍ରବ୍ୟ ଦେଖି ତହିଁ ପ୍ରବର୍ତ୍ତାଏ ଆଶ,

ପ୍ରିୟ ମିତ୍ରଠାରେ କରି ମିଥ୍ୟା ବ୍ୟବହାର,

ଅବ୍ୟାପାରେ ରତ ଥାଏ ମଣି ସୁବ୍ୟାପାର,

କର୍ତ୍ତବ୍ୟ କାର୍ଯ୍ୟରେ ହେଳେ ନ ଲଗାଏ ମନ,

ବଳବନ୍ତଠାରେ କରେ ବିବାଦ ଅର୍ଜ୍ଜନ,

ତୋଷାମୋଦକାରୀ ସଙ୍ଗେ ବିଚାର କରଇ,

ନିନ୍ଦନୀୟ କର୍ମ ବୋଲି ତିଳେ ନ ଡରଇ,

ଜୁଆ ପଶା କରିଥାଏ ପ୍ରଧାନ ଜୀବିକା,

ବେଶ୍ୟାଘରେ ଜୀବନ ଯା ହୋଇଥାଏ ବିକା,

ଅବିଶ୍ୱାସୀ ଲୋକଠାରେ ଲଗାଇ ବିଶ୍ୱାସ,

ମୂର୍ଖପଣେ ନ ଛାଡ଼ଇ ମୂର୍ଖଜନ ପାଶ,

ଆପଣାର ଦୋଷ ଥିଲେ ପର୍ବତ ସମାନ,

ସୋରିଷ ସଦୃଶ ତାକୁ ମଣୁଥାଏ ସାନ,

ସୋରିଷ ସମାନ ଯେବେ ପର-ଦୋଷ ଦେଖେ

ଅଭିମାନ ବହି ତାକୁ ଗିରି ସମ ଲେଖେ,

ଯେତେବେଳେ କାର୍ଯ୍ୟ ସେତେବେଳେ ତା’ ନ କରି

କାର୍ଯ୍ୟଦକ୍ଷ ବୋଲିଥାଏ ବୃଥା ଗର୍ବ ଧରି,

କାର୍ଯ୍ୟରେ ଅକ୍ଷମ କିନ୍ତୁ ବାକ୍ୟେ ମହାବୀର,

ଧରିଥାଏ ମିଥ୍ୟା ଗଳ୍ପଯାକ ପୃଥିବୀର,

ସେ ନୃପତି ଅତି ମୂର୍ଖ ବୋଲି ଶାସ୍ତ୍ର କହେ,

ଲକ୍ଷ୍ମୀ ଘୃଣା କରି ତାର ନିକଟେ ନ ରହେ ।

ସୁପାତ୍ରେ ନ ଦେଇ ଯେହୁ ନିଜେ ପିନ୍ଧେ ଖାଏ

ସମୟେ ତା’ ଧନରାଶି ସମୂଳରେ ଯାଏ ।

ଖଚୁଆଙ୍କ କଥା ଯେବେ ରାଜା ମନେ ଧରେ,

ଦୋଷହୀନ ପରଜାକୁ ଦଣ୍ଡଦାନ କରେ,

ହିତାହିତ କଥା କିଛି ନ ପାରଇ ବାରି,

ପୁରସ୍କୃତ ହୁଅନ୍ତି ଯା’ ତୋଷାମୋଦକାରୀ,

ଲାଳସା ବଢ଼ାଉଥାଏ ଦେଖି ପ୍ରଜା-ଧନ,

ସେ ଧନ ନେବାକୁ କରେ ଉପାୟ ସାଧନ,

ସତସଙ୍ଗ ଛାଡ଼ି ରହେ ଅସତ ସଙ୍ଗରେ,

କୁତ୍ସିତ ଆମୋରଦେ ରତ ଥାଏ ନିରନ୍ତରେ,

ଅଭିମାନ ବୃଦ୍ଧି ପାଇଁ ବହେ ଋଣଭାର,

କରେ ରାଜକ୍ଷମତାର ଅପବ୍ୟବହାର,

ଅଧୀନସ୍ଥ କର୍ମଚାରୀ କଲେ ଅତ୍ୟାଚାର,

ପ୍ରଜା ଗୁହାରିରେ କରେ ନାହିଁ ସୁବିଚାର,

ଦୟା ନ ଜନ୍ମଇ କେବେ ପରଜାଙ୍କ ଦୁଃଖେ

ଭାସୁଥାଏ ନାରୀ ପ୍ରେମ-ତରଙ୍ଗର ସୁଖେ,

ରତ ଥାଏ ବଳବନ୍ତ ରାଜା ସଙ୍ଗେ ବାଦେ,

ସେ ରାଜାଙ୍କୁ ଲକ୍ଷ୍ମୀ ଛାଡ଼ିଯାଏ ଚାରିପାଦେ ।

କ୍ଷମତା ନ ଥାଇ ଲୋକ କ୍ରୋଧ ଯେବେ କରେ ।

ନିଜ କ୍ରୋଧନଳେ ନିଜେ ଦଗ୍‌ଧ ହୋଇ ମରେ ।

ପର ଧନ ପର ଦାର ଯେ କରେ ହରଣ,

ନିଜ ହାତେ କରେ ମହାଭୀତିକ ବରଣ ।

କୁଣ୍ଠିତ ନ ହେବ ରାଜା ଆଶ୍ରିତ ପୋଷଣେ,

ଅତିହିଁ କୃପଣ ହେଲେ ବୁଡ଼ଇ ଆପଣେ ।

ଯେଉଁରୂପେ ପୁଷ୍ପରଜ ନିଅଇ ଭ୍ରମର,

ହାନି ନାହିଁ ପ୍ରଜାଧନ ନେଲେ ନରବର ।

ନିତି ପାଣି ଦେଇ ମାଳୀ ବୃକ୍ଷକୁ ବଢ଼ାଏ,

ତେବେ ଏକା ମନୋହର ପୁଷ୍ପ ତହୁଁ ପାଏ ।

କରୁଥିଲେ ପରଜାଙ୍କ ଉନ୍ନତିସାଧନ,

ହସି ହସି ପ୍ରଜାମାନେ ଦେଉଥାନ୍ତି ଧନ ।

ପ୍ରଜାଗଣ ପା’ନ୍ତି ଯେଉଁ ରାଜାଠାରୁ ଭୟ,

ଚକ୍ରବର୍ତ୍ତୀ ହେଲେ ମଧ୍ୟ ହୁଏ ତାର କ୍ଷୟ ।

ବାଲି ମଧ୍ୟୁ ସ୍ୱର୍ଣ୍ଣ ଯଥା କରନ୍ତି ସଂଗ୍ରହ,

ସବୁଠାରୁ ନେବ ହିତ-ଉପଦେଶଚୟ ।

ବଳବନ୍ତ ଲୋକଠାରେ ନ କରିବ କଳି,

ଅନଳେ ଲାଗିଲେ କାଠ ନିଜେ ଯାଏ ଜଳି ।

ବଳବନ୍ତ ହୋଇ ଯେବେ ଅଧର୍ମ ଆଚରେ,

ଅଗ୍ନି ପ୍ରାୟେ ନିଜ ଦୋଷେ ନିଜେ ଜଳିମରେ ।

ବିପତ୍ତି ସମୟ ଯେବେ ହୁଏ ଉପସ୍ଥିତ,

ହୋଇଥାଏ ବୁଦ୍ଧିଜୀବୀ ବୁଦ୍ଧି ବିପରୀତ ।

ସେକାଳେ ଧଇର୍ଯ୍ୟ ଧରି ହୋଇ ଅଗ୍ରସର,

ଚାଲିବ ବିପତ୍ତି-ଶିରେ ପ୍ରହାରି ପୟର ।

ସକଳ ତୀର୍ଥରେ ସ୍ନାନ କଲେ ଯେଉଁ ଫଳ,

ନିଷ୍କପଟ ବ୍ୟବହାର ସବୁଠାରୁ ଭଲ ।

ରାଜପଦ ପାଇ ଯେହୁ କୀର୍ତ୍ତିରେ ଉଦାସ,

ସ୍ୱର୍ଗ-ପଥ ମଧ୍ୟେ ତାକୁ ନିଦ୍ରା କଲା ଗ୍ରାସ ।

ରାଜା ହୋଇ ନାହିଁ ଯା’ର ଅପଯଶେ ଡର,

ଦରିଦ୍ର ଯଶସ୍ୱୀ ତାହାଠାରୁ ଶ୍ରେଷ୍ଠତର ।

ନୀଚଲୋକ ଆଶ୍ରୟରେ କେବେ ନ ରହିବ,

ନିଷ୍ଠୁର ଅପ୍ରିୟ କଥା କେବେ ନ କହିବ ।

ଧନଲୋଭେ କରଇ ଯେ ଅସତ୍ୟ ଆଚାର,

କୁଳମାନ ଲୋକାଦର ନାଶ ହୁଏ ତାର ।

କର୍ପୂର, କାର୍ପାସ, ହୀରା, ଜୀରା, ଅଶ୍ୱ, ଖର

ଯେ ରାଜସଭାରେ ବିବେଚିତ ଏକ ଦର;

ସେ ରାଜସଭାକୁ ଦୂରୁ କରି ନମସ୍କାର

ବୁଧଗଣ ରାଜ୍ୟସୀମା ନ ମାଡ଼ନ୍ତି ତାର ।

ସେହି ରାଜ୍ୟେ ଠୁଳହୋଇ ସ୍ୱାର୍ଥପରଗଣ,

ଭୁଲାଇ ଭୁଲାଇ ଖାଉଥାନ୍ତି ରାଜଧନ ।

ନର ହୋଇଥାଉ ପଛେ ଗୁଣରେ ଭୂଷିତ,

ଲୋଭବଶ ହେଲେ ଲୋକେ ହୁଏ କଳୁଷିତ ।

ପାନରତ ବୈଦ୍ୟ, ବେଦବିହୀନ ବ୍ରାହ୍ମଣ,

ଦୂର କରଥାନ୍ତି ରାଜା ଥିଲେ ବିଚକ୍ଷଣ ।

ନୀଚ ହେଉ ପଛେ ନୀତିନିପୁଣ ଯେ ଜନ,

ତାହାକୁ ମଣିବ ମନ୍ତ୍ରୀପଦର ଭାଜନ ।

ସର୍ପ ସଙ୍ଗେ ଖଳ ସଙ୍ଗ ଅଟଇ ସମାନ,

ସମୟରେ ତାଙ୍କ ଲାଗି ନାଶ ଯାଏ ପ୍ରାଣ ।

ଖଳ ଲୋକ ପୋଷେ ଯେଉଁ ରାଜା କରି ଦାନ,

ଭୂଜଙ୍ଗେ କରାଇଥାଏ ମାତ୍ର କ୍ଷୀରପାନ ।

କ୍ଷୀର ପାନ କରି ସର୍ପ ଉଗାରେ ଗରଳ,

ମହାନର୍ଥ ଉପୁଯାଏ ଅନ୍ନ ଖାଇ ଖଳ ।

ଜ୍ଞାନୀ ଦେଖି ଭାଗ୍ୟବାନ ପ୍ରକାଶି ଆଗ୍ରହ,

କରେ ଜ୍ଞାନୀଠାରୁ ବାକ୍ୟ-ରତନ ସଂଗ୍ରହ ।

ସେ ବାକ୍ୟେ ପାଳନ କରି ଲଭଇ ମଙ୍ଗଳ,

ନ ପାଳିଲେ ଉପଦେଶ- ବାକ୍ୟ ନାହିଁ ଫଳ ।

ବୈଦ୍ୟକୁ ଡାକିଲେ ଦେବ ଅଉଷଧି ସିନା,

ରୋଗ ତ ଛାଡ଼ିବ ନାହିଁ ତା’ ସେବନ ବିନା ।

ବନ୍ଧୁ ଯେ ସେ ଦେଖେ ଯେବେ ବାନ୍ଧବର କ୍ଳେଶ

ଅଯାଚିତେ ଦେଇଥାଏ ହିତ ଉପଦେଶ ।

ସେହି ଉପଦେଶ ଯଦି ନ ହୁଏ ପାଳନ,

ତାହାକୁ ବୋଲନ୍ତି ଲୋକେ ହସ୍ତୀ-ପ୍ରକ୍ଷାଳନ ।’’

ବିଦୁର ବଚନ ଶୁଣି ଅନ୍ଧ ନରପତି,

ଦୃଷ୍ଟିହୀନ ନେତ୍ର ଦେଇ ବିଦୁରଙ୍କ ପ୍ରତି,

ବୋଇଲେ, ‘‘ହେ ଧୀର, ଘଷାହେଲେ ବାରମ୍ବାର

ମଳିନତା ଅନ୍ତର କି ନ ହୁଏ ଲୁହାର ?

ରତନ ହେଲେହେଁ ଯଦି ରହେ ଅମାର୍ଜିତ,

କାନ୍ତି କି ତାହାର ହୁଏ ନାହିଁ ବିବର୍ଜିତ ?

କହ ଭାଇ, କହ ମୋତେ ହିତକଥାମାନ,

ବ୍ୟାକୁଳ ହୃଦୟେ ମୋର କର ଶାନ୍ତି ଦାନ ।’’

ବିଦୁର ବୋଇଲେ, ‘‘ନୃପ, ଯେ ଘେନେ ବଚନ

ଉପଦେଶ ଦେବାପାଇଁ ତାକୁ ବଳେ ମନ ।

ହିତକଥା କହି କହି ଗଲିଣିମୁଁ ଥକି,

କିସ ହେବ ସେହି କଥା ପୁନଃ ପୁନଃ ବକି ?

ଯେଉଁ ଲୋକ କରୁଥାଏ ପର ଉପକାର,

ବିପଦ ସମୟେ ତାକୁ ମିଳେ ଉପଚାର ।

ପର ଉପକାର କଥା ନ ଭାବି ସ୍ୱପନେ,

ଅପକାର କରୁଅଛ ସତତ ସ୍ୱଜନେ ।

ପାଷାଣ ଉପରେ ହେଲେ ଦାରୁଣ ଆଘାତ,

ସ୍ୱଭାବେ ଅନଳକଣା ହୋଇଥାଏ ଜାତ ।

ସହି ସହି ତୁମ୍ଭ କୃତ ଦୋଷ ଥର ଥର,

ପାଣ୍ଡବଙ୍କ ହୃଦ ହୋଇଯାଇଛି ପଥର ।

ଏଥର ତହିଁରେ ଯଦି ପଡ଼ିବ ଆଘାତ,

ନିଶ୍ଚୟ ହେବଟି ଘୋର ଅନଳ ସଂଜାତ ।

ଜଗତେ ପ୍ରସିଦ୍ଧ ଯେଉଁ ଭରତଙ୍କ ବଂଶ,

ତୁମ୍ଭ ଦୋଷେ ସେ ଅନଳେ ହୋଇଯିବ ଧ୍ୱଂସ ।

ପାଣ୍ଡବ ଧରମ-ସିନ୍ଧୁ ଯୁଧିଷ୍ଠିର ଜଳ,

ପ୍ରଚଣ୍ଡ ତରଙ୍ଗ ତହିଁ ଭୀମ ମହାବଳ;

ସବ୍ୟସାଚୀ ଗଭୀରତା ଅତଳସ୍ପରଶ,

ମାଦ୍ରୀସୁତଦ୍ୱୟ ଅତି ପ୍ରଚଣ୍ଡ ଯାଦସ ।

ପୂରିଛି ଅଶେଷ ପୁଣ୍ୟ- ରତନ ଗର୍ଭରେ,

ସଦା ଉଚ୍ଛଳିତ କୃଷ୍ଣ-ଚନ୍ଦ୍ର-ସ୍ନେହ-କରେ ।

ପ୍ରିତୀ-ପୋତେ ବସି ତାଙ୍କ ବକ୍ଷରେ ବିହରି

ରାଜତ୍ୱ-ବାଣିଜ୍ୟେ ନିଅ ସୁଖେ ଦିନ ହରି ।

ତା’ ନ କରି ଦେଖାଇବ ଯେବେ ବାହୁବଳ,

ତରଙ୍ଗ-ତାଡ଼ନେ ନିଜେ ମରିବ କେବଳ ।

ପାଣ୍ଡୁପୁତ୍ରମାନେ ଅତି ଧର୍ମପରାୟଣ,

ଧର୍ମ ଅନୁରୋଧେ ସହୁଅଛନ୍ତି କଷଣ ।

ଧର୍ମପଥ ଲଙ୍ଗି ଯେବେ ଦେଖାନ୍ତି ସେ ବଳ,

ଜୀବନେ କି ଥାନ୍ତେ ତୁମ୍ଭ କୁମରସକଳ ?

ତୁମ୍ଭ ପୁତ୍ରମାନେ ତାଙ୍କ ଦୁଖର କାରଣ,

କିନ୍ତୁ ସେ କଥାକୁ ପୋଷୁ ନାହିଁ ତାଙ୍କ ମନ ।

ଭୀମେ ଦେଲେ ବିଷ, ଦଗ୍‌ଧ କଲେ ଜତୁଘର,

ସେ ଦୋଷକୁ ଧରୁଛି କି ହୃଦୟ ତାଙ୍କର ?

ସୁଯୋଧନ ଆଦେଶରେ ଦୁଷ୍ଟ ଦୁଃଶାସନ,

କୃଷ୍ଣାକୁ ସଭାରେ କରୁଥିଲା ବିବସନ;

ମହତ ତାଙ୍କର ଆଉ ରଖିଥିଲେ କାହିଁ ?

ଧରମ ରଖିଲା ସିନା ମହତ ବଞ୍ଚାଇ ।

ଧର୍ମ ଅବହେଳି ଥିଲେ ପାଣ୍ଡୁଙ୍କ କୁମରେ,

ଆଜ ତୁମ୍ଭ ପୁତ୍ରେ ଥାନ୍ତେ ଶମନନଗରେ ।

ରାଜ୍ୟ ନେଇ, ନେଉଥିଲ ମହତ୍ତ୍ୱ-ରତନ,

ମାରିବାକୁ କରୁଅଛ ସତତ ଯତନ ।

ଦେଖାଉଛ ତାହାଙ୍କର ବିପକ୍ଷେ କ୍ଷମତା,

ତଥାପି ହୃଦେୟ ତାଙ୍କ ରହିଛି ମମତା ।

ଘୋଷଯାତ୍ରାକାଳେ ଦେଖ ଯକ୍ଷେ ହୋଇ ଦ୍ୱନ୍ଦୀ

ହୋଇଯାଇଥିଲେ ତୁମ୍ଭ ପୁତ୍ରଗଣ ବନ୍ଦୀ ।

ଭ୍ରାତୃସ୍ନେହେ କରି ଯକ୍ଷ ସଙ୍ଗରେ ସମର,

ମୁକ୍ତକଲେ ସେ କଥାକୁ ଥରେ ତ ନ ସ୍ମର ।

କୃତଘ୍ନତା ଆଉ ଫଳିଥାଏ କି ବୃକ୍ଷରେ,

ବିଚାରି ନରେଶ ମୋତେ କହନ୍ତୁ ତ ଥରେ !

ହସ୍ତିନା ରାଜ୍ୟରେ କହ ନାହିଁ କେଉଁ ଧନ,

ତହିଁ ତୃପ୍ତି ନୁହେ ଯୁବରାଜ ଦୁର୍ଯ୍ୟୋଧନ ।

ଗଳେ ତାର ଲାଗିଅଛି ଧନଲୋଭ-ଡୋରି,

ଛି ଛି, ଗଲେ ବିରାଟର ଧେନୁ କରି ଚୋରି,

ତହିଁରେ ପାଇଲେ କେଉଁ ପରି ପରାଭବ !

ଜୀବନ ଯିବାର ଥିଲା କେଉଁ ଅସମ୍ଭବ ?

ଧିକ ତାର ଦୁରାକାଂକ୍ଷା, ଧିକ ତା’ ବିଚାର,

କୁରୁକୁଳେ ଜନମିଲା ଏଡ଼େ କୁଳାଙ୍ଗାର !

ଧନଞ୍ଜୟ ସ୍ନେହ ଯଦି ଛାଡ଼ିଥାନ୍ତା ମନୁ,

ସୁଯୋଧନ ଫେରିଥାନ୍ତା ଆଉ କି ସେ ରଣୁ !

ଘରେ ଦ୍ରୋହ କରି ପରେ କରିଛି ଭରସା,

ସିଂହ-ଗୃହେ କରାଇଛି ଶୃଗାଳଙ୍କ ବସା ।

ଶୃଗାଳବୁଦ୍ଧିରେ ପୁଣି ପଡ଼ିଅଛ ଆପେ,

ତା’ ଯୋଗୁଁ ନୃପତି ତୁମ୍ଭେ ବୁଡ଼ିବ ସନ୍ତାପେ ।

ମାନୁ ନାହିଁ ଦୁର୍ଯ୍ୟୋଧନ ଭୀଷ୍ମଙ୍କ ବଚନ,

ଗୁରୁଙ୍କ କଥାରେ ବୁଝୁନାହିଁ ତାର ମନ ।

ଶକୁନି, କର୍ଣ୍ଣର କଥା କରିଅଛି ବଳ,

କରିବେ କୌରବ ଯଶଃ-ବତ୍ସକୁ କବଳ ।

ବିଖ୍ୟାତ ଭରତବଂଶ ଭାରତମଣ୍ଡଳେ,

ଶୌର୍ଯ୍ୟବୀର୍ଯ୍ୟେ ଚିରସାମ୍ୟ ଯା’ର ଆଖଣ୍ଡଳେ,

ନଭଶ୍ଚୁମ୍ବି-ଚୂଡ଼ ଯା’ର ଧର୍ମନିକେତନ,

ତ୍ରିଦିବ-ସ୍ପରଶୀ ତହିଁ କୀରତି-କେତନ,

ସେ ବଂଶେ ଜନମି ନିଜ ଗୌରବ ନ ସ୍ମରି,

ଲଜ୍ଜା ହେଉ ନାହିଁ ତିଳେ ପର ପାଦ ଧରି !

ପରକୁ କରନ୍ତା କାହିଁ ବିପଦରୁ ତ୍ରାଣ,

ଲୋଡ଼ୁଅଛି ନେବା ପାଇଁ ଜ୍ଞାତିଙ୍କର ପ୍ରାଣ ।

ପାଣ୍ଡୁପୁତ୍ରେ କଲେ କେବେ କେଉଁ ଅପକାର,

ଆଉମାନେ କଲେ କେବେ କେଉଁ ଉପକାର ?

ଶକୁନି ମାତୁଳ, କର୍ଣ୍ଣ ଯଦି ମିତ୍ରବର,

କହୁ ନାହିଁ କରିବାକୁ ତାହାଙ୍କୁ ଅନ୍ତର ।

ଖାଉଥାନ୍ତୁ ଧନ କରି ମନ୍ତ୍ରୀ-ମିତ୍ରପଣ,

ପାଣ୍ଡବଙ୍କ ଭାଗ ତାଙ୍କ ଦେଉନ୍ତୁ ଆପଣ ।

ଦୁର୍ଯ୍ୟୋଧନ ସମ ଶତ ପୁତ୍ରଠାରୁ ବଳି,

ଶ୍ରେଷ୍ଠତମ ଅଟେ ଏକା ଭୀମ ମହାବଳୀ ।

କର୍ଣ୍ଣ ପରି ଶତ ଶତ ଥିବେ ଯଦି ବୀରେ,

କର୍ଣ୍ଣ ମୋଡ଼ି ପାର୍ଥ ଜୟ ନେବେ ପୃଥିବୀରେ ।

ପାଣ୍ଡୁପୁତ୍ରମାନେ ଯଦିଥିବେ ତୁମ୍ଭ ପାଶେ,

ଇନ୍ଦ୍ରପରି ଶତ୍ରୁ ଦେଖି ପଳାଇବେ ତ୍ରାସେ ।

ମୁଁ ତୁମ୍ଭର ଜ୍ଞାତି, ତୁମ୍ଭ କହୁଅଛି ହିତ,

ମୋର କଥା ଘେନିବାର ତୁମ୍ଭର ବିହିତ ।

ପୁତ୍ର ଦୁଷ୍ଟ କର୍ମ ଦେଖି ଯେ ପିତା ନ ବାରେ,

ଝାସ ହୋଇଥାଏ ତାର ଦୁଃଖ-ପାରାବାରେ ।

ପିତାର ବଚନ କରେ ଯେ ପୁତ୍ର ଲଙ୍ଘନ

ଯମହସ୍ତେ ହୋଇଥାଏ ତା’ କେଶ ଲଗନ ।

ସମ୍ମୁଖେ ବିପତ୍ତି ଦେଖି ଉପାୟ ନ କଲେ

ଧ୍ୱଂସ ହୋଇଥାଏ, ବନ ଯଥା ଦାବାନଳେ ।

ଶୀଘ୍ର କାର୍ଯ୍ୟ କର ନୃପ, ତେଜି ଅବହେଳା,

ବୁଡ଼ିବାକୁ ବସିଅଛି କୁରୁବଂଶ-ଭେଳା ।’’

ଏହି ରୂପେ କହୁଁ କହୁଁ ଶେଷ ହେଲା ରାତି,

କ୍ରମଶଃ ମଳିନ ହେଲା ପ୍ରଦୀପର ଭାତି ।

ଆସିଲା ଗବାକ୍ଷ-ପଥେ ଶୀତଳ ସମୀର,

ଆନନ୍ଦେ ରାବିଲେ ସ୍ୱର୍ଣ୍ଣ ପିଞ୍ଜରାରେ କୀର ।

ଗବାକ୍ଷ ନିକଟେ ପେଚା କରି ଯେଉଁ ସ୍ୱର

ଉଡ଼ିଗଲା, ନୃପତିଙ୍କ ହେଲା କର୍ଣ୍ଣ-ଜ୍ୱର ।

ବନ୍ଦିଗଣ କଲେ ରାଜ-କର୍ଣ୍ଣରସାୟନ-

ପବିତ୍ର ଭରତବଂଶ-ଗରିମା ଗାୟନ ।

ଉଠି କେଶ ବାନ୍ଧି ରାଜପରିଚାରୀଗଣ

ମାଙ୍ଗଳିକ ଗୀତ ଗାଇ ଝାଡ଼ିଲେ ପ୍ରାଙ୍ଗଣ ।

ନୃପତି ଚରଣ ବନ୍ଦି ସୁମତି ବିଦୁର

ନୃପତି ଶୟନ-କକ୍ଷୁ ହୋଇଗଲେ ଦୂର ।

Image